୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ପ୍ରବାସୀ ଓଡ଼ିଆ; ପୁଲିସ କଲା ନିରାଶ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି

ବାସୁଦେବପୁର: ବେଙ୍ଗାଲୁରୁରେ ସାଇବର ଠକେଇରେ ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ଜଣେ ଯୁବକ। ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇ ଯୁବକ ମାନସିକ ସ୍ଥିତି ହରାଇ ଥାନାରେ ଗୁହାରି କରିଥିଲେ ବି ଶୁଣିଲାନି ପୁଲିସ। ଯାହାକୁ ନେଇ ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କଠାରେ ଫେରାଦ ହୋଇଛନ୍ତି।

ବାସୁଦେବପୁର ଥାନା ଲୁଙ୍ଗା ପଞ୍ଚାୟତ ଉରୁଣିଆ ଗ୍ରାମର ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆକାଉଣ୍ଟରେ ଥିବା ୪ ଲକ୍ଷ ୧୮ ହଜାରରୁ ଊର୍ଦ୍ଧ୍ବ ଟଙ୍କାକୁ ଠକି ନେଇଥିବା ଅଭିଯୋଗ କରିଛନ୍ତି, ଯାହାକୁ ନେଇ ଗତ କିଛିଦିନ ତଳେ ମାନସିକ ଭାରସାମ୍ୟ ହରାଇବା ସହ ଗାଁକୁ ଆସି ସ୍ଥାନୀୟ ପୁଲିସ ନିକଟରେ ଗୁହାରି କରି ବିଫଳ ହୋଇଛନ୍ତି। ନିଜର କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୁବାସ ଗତ ଚାରି ବର୍ଷରୁ ଊର୍ଦ୍ଧ୍ବ ବେଙ୍ଗାଲୁରୁରେ ରହି ଏକ କମ୍ପାନତର ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟ ମଧ୍ୟରେ ସେ ସେଠାରେ ଏକ ଆକାଉଣ୍ଟ ଖୋଲି ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା ରଖିଥିଲେ। ମାତ୍ର ଏହି ସମସ୍ତ ଘଟଣା ଜାଣିଥିଲା ତାଙ୍କ ସାଙ୍ଗରେ ରହୁଥିବା ଯାଜପୁର ଅଞ୍ଚଳର ପ୍ରଶାନ୍ତ କୁମାର ପଣ୍ତା। କିଛିଦିନ ରହଣି ମଧ୍ୟରେ ପ୍ରଶାନ୍ତ କୌଶଳ କରି ସୁବାସର ଫୋନ ପେ’କୁ କାବୁ କରିନେଇ ଥିଲା। ଏ ସମସ୍ତ ଘଟଣାରେ ଅଜ୍ଞ ଥିବା ସୁବାସକୁ ଚୁନ ଲଗାଇ ପାଖାପାଖି ୪ ଲକ୍ଷ ୧୮ ହଜାର ଟଙ୍କାକୁ ହଡପ କରି ନେଇଥିଲା। ପରେ ସୁବାସ ସ୍ଥାନୀୟ ବେଙ୍ଗାଲୁରୁରେ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସୂଚନା ପାଇଥିଲା। ଏହାକୁ ନେଇ ସୁବାସର ମାନସିକ ସ୍ଥିତି ବିଗିଡିବାକୁ ଲାଗିଲା। ସେଠାରୁ ଘରକୁ ଫେରିଆସିଥିଲା। ନିଜ ଅର୍ଥ ଫେରି ପାଇବାକୁ ସେ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳି ନଥିଲା। ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର