ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୁଣି ଶିଶୁକନ୍ୟା ଜନ୍ମ କଲେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକ

ମାସକ ଭିତରେ ୩ୟ ଘଟଣା: ଗତ ୨୪ ତାରିଖରେ ଜନ୍ମ ନେଇଥିଲା ଶିଶୁକନ୍ୟା, ୫ତାରିଖରେ ଶିଶୁପୁତ୍ର

ଟିଟିଲାଗଡ: ଆଜି ପୁଣି ଥରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଏକ ଶିଶୁକନ୍ୟା ଜନ୍ମ କରିଛନ୍ତି। ୩୦ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ଗତମାସ ୨୪ ତାରିଖରେ ଜଣେ ମହିଳା ଶିଶୁକନ୍ୟା ଜନ୍ମ କରିଥିବା ବେଳେ ଚଳିତ ମାସ ୫ ତାରିଖ ଦିନ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଅନ୍ୟ ଜଣେ ମହିଳା ଶିଶୁପୁତ୍ର ପ୍ରସବ କରିଥିଲେ।

ଆଜି ଟିଟିଲାଗଡ ରେଳ ଷ୍ଟେସନ ଦେଇ ଆନ୍ଧ୍ରପ୍ରଦେଶର ତିରୁପତିରୁ ନୂଆପଡା ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ ରେଳ ଅଧିକାରୀମାନେ ଏହି ଖବର ପାଇବା ପରେ ଟିଟିିଲାଗ୍‌ଡ ଷ୍ଟେସନରେ ଟ୍ରେନକୁ ଅଟକାଇବା ସହ ରେଳବାଇ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତୁରନ୍ତ ସଂପୃକ୍ତା ମହିଳାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ବେଳେ ଉଭୟ ମାଁ ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥିବା ଜଣାପଡିଛ।

ମହିଳା ଜଣକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ପଞ୍ଚାୟତର ପିଙ୍କି ଛତର ଓ ସେ ତିରୁପତିକୁ କାମ କରିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ଆସନ୍ନ ପ୍ରସବା ମହିଳାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ସହ ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଥିବାରୁ ରେଳ ବିଭାଗର ଅଧିକାରୀଙ୍କୁ ଲୋକେ ପ୍ରଶଂସା କରିଛନ୍ତି। ଏସଆଇ ଆର ସି ପାତ୍ର, ଏଏସଆଇ ପରମାନନ୍ଦ ଭାଟି, ଜେଡି ନାୟକ, ଏଲ କେ ପ୍ରଧାନ, କ୍ଷିରୋଦ ମାହାର ପ୍ରମୁଖଙ୍କ ସହ ଅନେକ ରେଳବାଇ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର