ପୁଣି ଦାଦନ ଯନ୍ତ୍ରଣା, ଦୁବାଇରେ ଓଡ଼ିଆ ଶ୍ରମିକ ମୃତ

ଖଲ୍ଲିକୋଟ: ଗଞ୍ଜାମକୁ ପିଛା ଛାଡ଼ୁନି ଦାଦନ ଯନ୍ତ୍ରଣା। ଗତ ୪ ମାସ ଭିତରେ ଗଂଜାମ ଜିଲ୍ଲାର ୧୫ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଥିବା ବେଳେ ଏହି ତାଲିକାରେ ଆଉ ଜଣେ ଶ୍ରମିକଙ୍କ ନାଁ ଯୋଡ଼ି ହୋଇଛି। ମୃତ ଦାଦନ ଶ୍ରମିକ ଜଣଙ୍କ ହେଲେ ଖଲ୍ଲିକୋଟ ବ୍ଲକ୍‌ ତୁଳସୀପୁର ପଞ୍ଚାୟତ ପିଟଣାପଲ୍ଲୀ ଗ୍ରାମର ଶିବ ପ୍ରଧାନ। ବୁଧବାର ରାତିରେ ଶୋଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଶିବ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି। ଏନେଇ ପିଟଣାପଲ୍ଲୀରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶିବଙ୍କ ମରଶରୀର ଗାଁକୁ ଫେରାଇ ଆଣିବାକୁ ପ୍ରଶାସନକୁ ପରିବାରବର୍ଗ ନିବେଦନ କରିଛନ୍ତି।

ସୂଚନା ପ୍ରକାରେ, ଶିବ କାମଧନ୍ଦା ଅନ୍ୱେଷଣରେ ଗତ ଚାରି ମାସ ତଳେ ଦୁବାଇ ଯାଇ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ସାଥିରେ ରହୁଥିବା ଅନ୍ୟ ଓଡ଼ିଆ ଶ୍ରମିକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗତ ଦୁଇବର୍ଷ ତଳେ ଶିବଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଘରେ ତାଙ୍କର ବିଧବା ମାଆ ଡୋମଣି ପ୍ରଧାନ ଓ ସ୍ତ୍ରୀ, ପୁଅ, ଝିଅ ଅଛନ୍ତି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ଦେଶ ବାହାରକୁ ଯାଇଥିବା ବେଳେ ଶିବଙ୍କ ଅକାଳ ମୃତ୍ୟୁରେ ପରିବାର ବେସାହାରା ହୋଇପଡ଼ିଛି।

ସମ୍ବନ୍ଧିତ ଖବର