ରାଉରକେଲାରେ ଫସି ରହିଥିବା ୮୧ ପ୍ରବାସୀ ଶ୍ରମିକ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଗଲେ

ରାଉରକେଲା : କରୋନା ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ଦେଶର ବିଭିନ୍ନ ରାଜ୍ୟରୁ ଚାଲି ଚାଲି ଆସି ରାଉରକେଲାରେ ୮୧ଜଣ ପ୍ରବାସୀ ଶ୍ରମିକ ଫସି ରହିଥିଲେ। ଶନିବାର ଏହି ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟି ଝାରଖଣ୍ଡ ଓ ପଶ୍ଚମବଙ୍ଗକୁ ଫେରିଛନ୍ତି ।

ସୂଚନାଯୋଗ୍ୟ, ରାଉରକେଲାରେ ଫସି ରହିଥିବା ୮୧ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୩୩ଜଣ ଝାଡ଼ଖଣ୍ଡ ରାମଗଡ଼ ଅଞ୍ଚଳକୁ ଦୁଇଟି ବସରେ ଯାଇଛନ୍ତି । ତେବେ ଝାଡ଼ଖଣ୍ଡ ସରକାର ସେଠାରେ ଫସିଥିବା ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ାର ୪୬ଜଣ ପ୍ରବାସୀ ଶ୍ରମିକଙ୍କୁ ସେଇ ଦୁଇଟି ବସରେ ରାଉରକେଲାରେ ପଠାଇଥିଲେ । ଏହି ବସ ଦୁଇଟି ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ଉଦିତନଗରରେ ପହଞ୍ଚିଥିଲା।

ଏହି ଦୁଇଟି ବସ୍‌ରୁ ଝାଡ଼ଖଣ୍ଡରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଓହ୍ଲାଇବା ପରେ ଛାତ୍ରାବାସରେ ରହିଥିବା ୩୩ ଶ୍ରମିକ ସେହି ବସ୍‌ରେ ଝାଡ଼ଖଣ୍ଡ ରାମଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କର ପଞ୍ଜିକରଣ କରାଯାଇଥିଲା । ଏହାର ଦିନକ ପୂର୍ବରୁ ଛାତ୍ରାବାସରେ ରହିଥିବା ୪୮ଜଣ ଶ୍ରମିକ ଦୁଇଟି ବସରେ ପଶ୍ଚମବଙ୍ଗର ବିଭିନ୍ନ ଅଂଚଳକୁ ଯାଇଛନ୍ତି । ପ୍ରାୟ ଦେଢ ମାସ ହେବ ଛାତ୍ରାବାସରେ ଏମାନେ ଅଟକି ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ସମ୍ବନ୍ଧିତ ଖବର