ମିଲର୍ସଙ୍କ ମର୍ଜିରେ ଚାଲିଛି ମଣ୍ଡି; ମୂଲଚାଲକୁ ହଁ କଲେ ଉଠୁଛି ଧାନ

ସୁନ୍ଦରଗଡ଼: ଜୟନ୍ତ ପଟେଲ, ସୁନ୍ଦରଗଡ଼ ବ୍ଲକ ସେମନା ଗାଁର ଚାଷୀ। ୨୦୨୧ ଡିସେମ୍ବର ୧୭ରେ ଧାନ ବିକିବା ପାଇଁ ତାଙ୍କୁ ମିଳିଥିଲା ଟୋକନ। କିନ୍ତୁ ସେ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ଠାରୁ ଡାକରା ପାଇଲେ ୨୪ ତାରିଖରେ। ଟ୍ରାକ୍ଟରରେ ୭୫ କ୍ବିଣ୍ଟାଲ ଧାନ ବୋଝେଇ କରି ନିଜ ଗାଁରେ ଚାଲିଥିବା ସେମିନା ମଣ୍ଡିକୁ ପହଞ୍ଚିଲା ବେଳକୁ ତାଙ୍କୁ କିରେଇ ମଣ୍ଡିକୁ ନେବାକୁ ନିର୍ଦ୍ଦେଶ ହୋଇଥିଲା। ସେ ଧାନ ନେଇ ୪ କିଲୋମିଟର ଦୂର କିରେଇ ମଣ୍ଡିକୁ ପହଞ୍ଚିଥିଲେ। ସେଥିପାଇଁ ତାଙ୍କୁ ପରିବହନ ଖର୍ଚ୍ଚ ୩ ହଜାର ଟଙ୍କା ସାରିବାକୁ ପଡ଼ିଥିଲା। କିନ୍ତୁ ସେଦିନ ତାଙ୍କ ଧାନ ଉଠି ନଥିଲା। ତା’ ପରଦିନ ବି ଧାନ ଉଠାଇବା ନେଇ ମଣ୍ଡି କର୍ତ୍ତୃପକ୍ଷ ହଁ କି ନା କିଛି କହି ନଥିଲେ। ଜୟନ୍ତ ମଣ୍ଡିରେ ଧାନ ରଖି ଶୀତକାକରରେ ପଡ଼ି ରହିଲେ। କିଛି ଦିନ ପରେ ଧାନର ମାନ ଠିକ୍ ନଥିବା ଦର୍ଶାଇ ୭୫ କ୍ବିଣ୍ଟାଲରୁ ମାତ୍ର ୨୦ କ୍ବିଣ୍ଟାଲ ଧାନ କ୍ରୟ କରାଯିବ ବୋଲି କୁହାଗଲା। ତେବେ ବିସ୍ମୟକର କଥା ହେଲା, ତାଙ୍କ ଧାନର ମାନ ଯାଞ୍ଚ କରିବା ଠାରୁ ନାକଚ ଯାଏ ସବୁ କାମ ମଣ୍ଡିରେ ନିୟୋଜିତ ମିଲର୍ସ ମହୁଲଯୋର ରାଧେକ୍ରିଷ୍ଣା ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍ର ଏଜେଣ୍ଟ କରିଥିବା ଦେଖିବାକୁ ପାଇଥିଲେ ଜୟନ୍ତ। ଲ୍ୟାମ୍ପସ ବା କ୍ରୟ କମିଟି ଚୁପଚାପ୍ ବସିଥିଲେ। ଜୟନ୍ତ ଏଥିରେ ରାଜି ନହୋଇ ମଣ୍ଡିରେ ଧାନ ଛାଡ଼ି ଘରକୁ ଚାଲି ଯାଇଥିଲେ। ଜାନୁଆରି ୩ରେ ପୁଣି ମଣ୍ଡିକୁ ଗଲା ବେଳକୁ ମିଲ୍ ମାଲିକ ୪ କେଜି କଟନିରେ ତାଙ୍କର ସବୁ ଧାନ ଉଠାଇ ନେଇଥିବା ସୂଚନା ଦେଇଥିଲେ।

ତେବେ ତାଙ୍କ ଅନୁପସ୍ଥିତିରେ ମିଲର୍ସ କେମିତି ଧାନ ଓଜନ କଲେ ଓ ୪ କେଜି କଟନି କଲେ ବୋଲି ସେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ। ଆଗକୁ ଆହୁରି ୭୫ କ୍ବିଣ୍ଟାଲ ଧାନ ବିକିବାକୁ ସେ ୨୦୨୧ ଡିସେମ୍ବର ୩୧ର ଟୋକନ ପାଇଛନ୍ତି। କିନ୍ତୁ ଡିସେମ୍ବର ୧୭ରେ ଥିବା ଟୋକନର ଧାନ ବଡ଼ କଷ୍ଟରେ ଜାନୁଆରି ୩ରେ ବିକିଥିବା ଜୟନ୍ତ ଏସ୍ଥିତିରେ ଦ୍ବିତୀୟ ଟୋକନର ଧାନ ଯେ ବିକି ପାରିବେ ସେ ଆଶା ଏକ ପ୍ରକାର ଛାଡ଼ି ଦେଇଥିବା କହିଛନ୍ତି। ଅନ୍ୟପଟେ ଜୟନ୍ତଙ୍କ ପରି ମଣ୍ଡିରେ ଧାନ ସହ ଶୀତକାକରରେ ପଡ଼ି ରହିଥିବା ତାଙ୍କ ଗାଁ ଚାଷୀ ଡିଲେଶ୍ବର ନାଏକଙ୍କ ୬୦ ବସ୍ତା, ଅନିତା ନାଏକଙ୍କ ୨୨ ବସ୍ତା, ଶ୍ୟାମଳ ପଟେଲଙ୍କ ୨୦ ବସ୍ତା, ସିଦ୍ଧାନ୍ତ ଶେଖର ପଟେଲଙ୍କ ୧୦ ବସ୍ତା ଧାନ ମିଲର୍ସ ଏଜେଣ୍ଟ ନାକଚ କରି ଦେବାରୁ ସେମାନେ ଘରକୁ ଫେରାଇ ନେଇଛନ୍ତି। କଟନିଛଟନିରେ ରାଜି ନହେବାରୁ ଏଜେଣ୍ଟ ଧାନ ଉଠାଇବାକୁ ମନା କରି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନିୟମ ଅନୁସାରେ, ଲ୍ୟାମ୍ପସ ଓ ଏସଏଚଜିକୁ ସରକାର ଧାନ କିଣିବା ଦାୟିତ୍ବ ଦେଇଛନ୍ତି। ମଣ୍ଡିରେ ଆରଏମସି ଧାନର ମାନ ନିର୍ଣ୍ଣୟ କରିବା କଥା। କେବଳ କଷ୍ଟମ ମିଲିଂ ଧାନ ନେବାକୁ ମିଲର୍ସ ମଣ୍ଡି ଭିତରକୁ ପଶିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ବିଡ଼ମ୍ବନା ଲ୍ୟାମ୍ପସ, ଏସଏଚଜି, ଆରଏମସିକୁ ଏଡ଼ାଇ ଚାଷୀଙ୍କ ଧାନର ମାନ ଯାଞ୍ଚ କରିବା ଠାରୁ କେତେ ଧାନ ନାକଚ ହେବ, କେତେ ଧାନ ଉଠିବ, କେତେ କଟନିଛଟନି ହେବ ସବୁ କାମ ମିଲର୍ସ କରୁଛି। ଆଉ ଲ୍ୟାମ୍ପସ ବା କ୍ରୟ କମିଟି ମଧ୍ୟ ମିଲର୍ସ ଉପରେ ହିଁ ସବୁ ଦାୟିତ୍ବ ଛାଡ଼ି ଦେଇଛି। ଲାଗୁଛି ଯେମିତି ମିଲର୍ସ ହିଁ ମଣ୍ଡିର ସର୍ବେସର୍ବା। ସେପଟେ ମଣ୍ଡିରେ ମିଲର୍ସଙ୍କ ରାଜ କଥା ଜାଣି ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ରହିଛି। କିରେଇ ମଣ୍ଡି ଏହାର ଏକ ନିଚ୍ଛକ ଉଦାହରଣ। ଜିଲ୍ଲାର ଅନ୍ୟ ସମସ୍ତ ମଣ୍ଡିରେ ସମାନସ୍ଥିତି। ସବୁଠି ମିଲର୍ସ ହିଁ ଧାନ ସଂଗ୍ରହ କମିଟିର ଅଲିଖିତ ମୁଖ୍ୟ ସାଜିଛି।

ଚଳିତବର୍ଷ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୯୪୦ ଟଙ୍କା ରଖିଛନ୍ତି। ଏଫଏକ୍ୟୁ ମାନ ପାଇଁ ଧାନରେ ନିକୃଷ୍ଟ ବାହ୍ୟ ପଦାର୍ଥର ପରିମାଣ ୧ରୁ ୧୭ ପ୍ରତିଶତ ଯାଏ କୋହଳ କରାଯାଇଛି। ବାଲି, ମାଟି, ଗୋଡ଼ି, ପଥର, ଧୂଳି ଆଦି ଅଜୈବିକ ପଦାର୍ଥ ସହ କାଠି, କୁଟା, ଅଗାଡ଼ି, ପୋଲ୍ ଆଦି ଜୈବିକ ବାହ୍ୟ ପଦାର୍ଥର କୋହଳ ପରିମାଣ ୧ ପ୍ରତିଶତ ଓ ଖରାପ, ବେରଙ୍ଗୀ, ପାଣିଫୁଲା, ପୋକ ମିଶି ୫ ପ୍ରତିଶତ କୋହଳ ରହିଛି। ସେହିପରି କଞ୍ଚା-ସବୁଜ-ବଙ୍କା ଓ ସଙ୍କୁଚିତ ଆଦି ଅପରିପକ୍ବ ଧାନ ୩ ପ୍ରତିଶତ ଓ ଜଳୀୟ ଅଂଶ ପାଇଁ ୧୭ ପ୍ରତିଶତ କୋହଳ କରାଯାଇଛି। ମଣ୍ଡିରେ ମଏଶ୍ଚର ମେସିନରେ ଧାନ ମାନ ପରୀକ୍ଷା କରି ଧାନ କିଣାଯିବାକୁ ବ୍ୟବସ୍ଥା ରହିଛି। କିନ୍ତୁ ଏସବୁକୁ ବ୍ୟବସ୍ଥା ନାମକୁ ମାତ୍ର। ଏସବୁକୁ ଏଡ଼ାଇ ମିଲର୍ସ ନିଜ ମର୍ଜିରେ କଟନଛଟନି କରି ଧାନ ଉଠାଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଜିଲ୍ଲାର ୧୫୪ଟି ଧାନ ସଂଗ୍ରହ କେନ୍ଦ୍ରରୁ ଧାନ ଉଠାଇବାକୁ ରାଜଗାଙ୍ଗପୁର ତେରେକେଲା ଅଗ୍ରସେନ ରାଇସ ମିଲ୍, ବଣାଇ ଉରୁମକେଲା ଜଗନ୍ନାଥ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍, କୁଆରମୁଣ୍ଡା ବିଜାବାହାଲ ଜୟ ଜଗନ୍ନାଥ ରାଇସମିଲ, ବଡ଼ଗାଁ ତିଲେଇମାଲ ଗୋବିନ୍ଦପୁରର ଜେବିଏସ୍ ରୋଲର୍ସ ପି ଲିମିଟେଡ୍, ବଡ଼ଗାଁ ଲତଗାଁ ମା ଭବାନୀ ରାଇସ ମିଲ୍, ବଡ଼ଗାଁ ଝାରମୁଣ୍ଡା ବାସନ୍ତୀ ରାଇସ୍ ମିଲ୍, ସୁନ୍ଦରଗଡ଼ କନ୍ଦାବାହାଲ ସନ୍ତୋଷୀ ରାଇସ ମିଲ୍, ବିଶ୍ରା ରାଧାଗୋପି ରାଇସ ମିଲ୍, ରାଜଗାଙ୍ଗପୁର ମାଣ୍ଡିଆକୁଦର ଶିବପାର୍ବତୀ ରାଇସ ମିଲ୍, ସୁନ୍ଦରଗଡ଼ ମହୁଲଯୋର ରାଧେକ୍ରୀଷ୍ଣା ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍, ଲହୁଣିପଡ଼ା ଟିକାୟତପାଲି ଏସଆର ଏଗ୍ରୋ, ସୁନ୍ଦରଗଡ଼ ଭଷ୍ମା ଉତ୍କଳ ରାଇସମିଲ୍, ଲହୁଣିପଡ଼ା ଅରକେଇକେଲା ବିଦ୍ୟା ମିନେରାଲ ପ୍ରାଇଭେଟ୍, ଲହୁଣିପଡ଼ା କଲେଇପୋଷ ଜଗନ୍ନାଥ ଫୁଡ୍ ପ୍ରୋସେସର୍ସକୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର