ବ୍ରହ୍ମପୁର: ସହର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ କ୍ଷୀର ଭାସି ନଷ୍ଟ ହେବା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି। ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକରୀ ମୁରଲୀଧର ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ଆଙ୍କୁଶପୁର ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି। କିଭଳି ଓ କେଉଁ ପରିସ୍ଥିତିରେ ପ୍ଲାଣ୍ଟ୍‌ର କ୍ଷୀର ନଷ୍ଟ ହେଲା ତା’ର ତଦନ୍ତ କରାଯାଇଛି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାପରେ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି ସୂଚନା ମିଳିଛି।
Advertisment
ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ଆସିଥିଲା। ପ୍ଲାଣ୍ଟ୍‌ର ଷ୍ଟୋରେଜ୍‌ ଟ୍ୟାଙ୍କର୍‌ରୁ କ୍ଷୀର ଉଛୁଳି ନାଳକୁ ଭାସିଯାଉଥିବା ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଏହାକୁନେଇ ବ୍ୟବସାୟୀ ଓ ଦୁଗ୍ଧଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ଲାଣ୍ଟ୍‌ର କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା। ଏଭଳି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରାଯାଇଥିଲା। ଫଳରେ ଭୁବନେଶ୍ବର ଓମ୍‌ଫେଡ୍‌ ମୁଖ୍ୟାଳୟରୁ ଏକ ବୈଷୟିକ ଟିମ୍‌ ଗତ ୯ତାରିଖରେ ଆଙ୍କୁଶପୁର ସ୍ଥିତ ପ୍ଲାଣ୍ଟ୍‌କୁ ଯାଇଥିଲେ। କିଭଳି ଓ କେଉଁ ପରିସ୍ଥିତିରେ ଟ୍ୟାଙ୍କର୍‌ରୁ କ୍ଷୀର ବାହାରି ନଷ୍ଟ ହୋଇଥିଲା ସେନେଇ ବିଭାଗୀୟ କର୍ମଚାରୀ ଓ ପ୍ଲାଣ୍ଟ୍‌ ମ୍ୟାନେଜର୍‌ଙ୍କ ସହିତ କଥା ହୋଇଥିଲେ।
ଏହାପରେ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁଣିଥରେ ତଦନ୍ତ କରାଯାଇଛି। ବ୍ରହ୍ମପୁର ସହର ସହିତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଓମ୍‌ଫେଡ୍‌ର ଚାହିଦା କମୁଥିବା ବେଳେ ଆନ୍ଧ୍ରରୁ ଆସୁଥିବା ହେରିଟେଜ୍‌ ଓ ବିଶାଖା କ୍ଷୀର ଲୋକଙ୍କ ପସନ୍ଦ ପାଲଟିଛି। ଓମ୍‌ଫେଡ୍‌ର କ୍ଷୀରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବଦଳରେ ପ୍ଲାଣ୍ଟ୍‌ରେ କ୍ଷୀର ନଷ୍ଟ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏଣୁ କ୍ଷୀର ନଷ୍ଟ ପାଇଁ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।