ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି, ୩୦ ହଜାର କୁଇଣ୍ଟାଲ ସଂଗ୍ରହ ଲକ୍ଷ୍ୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ୪୦ଟି ମଣ୍ଡିରେ ଖରିଫ ମାଣ୍ଡିଆ ସଂଗ୍ରହ କରାଯାଉଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଉଛନ୍ତି। ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ଜାନୁଆରି ମାସରୁ ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ୧୩ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ୫୭୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀମାନଙ୍କଠାରୁ ମାଣ୍ଡିଆ ସଂଗ୍ରହ ପାଇଁ କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ଲ୍ୟାମ୍ପସକୁ ଦାୟିତ୍ୱ ଦିଆଯାଇଛି। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିଗୁଡ଼ିକରେ ତାରପୋଲିନ ସହ ଓଜନ ମାପ ଯନ୍ତ୍ର, ମଏଶ୍ଚର ମିଟର ଏବଂ ହ୍ୟାଣ୍ଡ ଗ୍ରେଡର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାର ୩ ଦିନ ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାର ନୂଆଗାଁ, କୁଆରମୁଣ୍ଡା, ରାଜଗାଙ୍ଗପୁର, କୁତ୍ରା, ବାଲିଶଙ୍କରା, ହେମଗିର, ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ା ବ୍ଲକରେ ମାଣ୍ଡିଆ କିଣିବା ଦାୟିତ୍ୱ କୃଷକ ଉତ୍ପାଦକ ଗୋଷ୍ଠୀକୁ ଦିଆଯାଇଛି। ସେହିପରି ଲହୁଣୀପଡ଼ା, ଗୁରୁଣ୍ଡିଆ ଏବଂ ଲାଠିକଟା ବ୍ଲକରେ ଲ୍ୟାମ୍ପସ୍ ମାଧ୍ୟମରେ ମାଣ୍ଡିଆ ସଂଗ୍ରହ କରାଯାଉଛି। ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ସଚେତନ କରାଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ନୂଆଗାଁ, ଲାଠିକଟା, କୁଆରମୁଣ୍ଡା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, ବାଲିଶଙ୍କରା, ରାଜଗାଙ୍ଗପୁର, ଟାଙ୍ଗରପାଲି, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଏହି ଚାଷ କରାଯାଉଛି। ସେଥିମଧ୍ୟରୁ ୮ଟି ବ୍ଲକ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାର ବିହନ ସହିତ ଆବଶ୍ୟକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର