ଛିଣ୍ଡୁନି ମାଣ୍ଡିଆ କିଣା ବିବାଦ, ପଇସା ନ ପାଇ ଚାଷୀ ହଟହଟା 

କୋରାପୁଟ :  ଛିଣ୍ଡୁନି କୋରାପୁଟ ଜିଲ୍ଲାରେ ମାଣ୍ଡିଆ ମିଶନର ସମସ୍ୟା। ମାଣ୍ଡିଆ ବିକି ଚାଷୀ ହନ୍ତସନ୍ତ ହେଉଥିବାବେଳେ ଶୁଣୁନି ପ୍ରଶାସନ କି ବିକ୍ରି କରାଇଥିବା ସଂସ୍ଥା। ଫଳରେ ପ୍ରଶାସନ ନିକଟୁ ଦୈଡି ଦୈଡି ନୟାନ୍ତ ହେଲେଣି ଚାଷୀ। ହେଲେ ପାଉଣା ପାଇବେ କ’ଣ ଗାଡି ଭଡାରେ ଟଙ୍କା ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଆଜି ଲମତାପୁଟ ବ୍ଳକର ଚାରିଟି ଗ୍ରାମପଞ୍ଚାୟତର ବନମାଳିପୁଟ, ଉମ୍ବେଲ, ଟିକରପଡା ଓ କୁମରଗନ୍ଧଣା ର ୧୦୦ ଟି ପରିବାର ପୁଣି ଥରେ ଆସି କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଏହି ପରିବାର ପାଖାପାଖି ୧୦୦୦ କୁଇଣ୍ଟାଲ ମାଣ୍ଡିଆ ଗତ ଫେବ୍ରୁଆରୀ ୨୭ ତାରିଖରେ ହାଟସୁକୁ ମଣ୍ଡିରେ  ଓଡିଶା ମିଲେଟ ମିଶନ ଓ ଟିଡିକୋଲ ତରଫରୁ ବିକିଥିଲେ। କିନ୍ତୁ ଅଦ୍ୟାବଧି ଏହି ଚାଷୀ ମାଣ୍ଡିଆ ଟଂକା ପାଇ ନ ଥିବା ଜଣାପଡିଛି। ଏନେଇ ଟିଡିକୋଲକୁ ଭେଟିଥିଲେ ଟଂକା ଆସନ୍ତା ବର୍ଷ ପାଇବ ସେମାନେ କହିଥିଲେ। ସେଥିପାଇଁ ଆଜି ଜିଲ୍ଲାପାଳ ମହୋଦୟଂକୁ ଦାବି ପତ୍ର ଦେଇଛନ୍ତି। ଟଂକା ନାପାଇଲେ ୠଣ ଶୁଝିବି କେମିତି ଖାଇକି ବଂଚିବି କେମିତି ପୁଣି ଚାଷ କରିବି କେମିତି ବୋଲି ସେମାନେ ଦାବି କରିଛନ୍ତି। ଟଂକା ନାପାଇଲେ ଜିଲ୍ଲା ପାଳଂକ କାର୍ଯ୍ଯଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆତ୍ମହତ୍ୟା କରିବୁ ସେମାନେ ଧମକ ଦେଇଛନ୍ତି। ୨୦୨୦-୨୧ବର୍ଷର ଖରିଫ ଋତୁରେ କୋରାପୁଟ ଜିଲ୍ଲାର ୧୦ଟି ବ୍ଲକରେ ମାଣ୍ଡିଆ ବିକ୍ରି କରିବାକୁ ୧୮,୦୪୭ ଚାଷୀ ରାଜ୍ୟସରକାରଙ୍କ ନିକଟରେ ନିଜ ନାମ ପଞ୍ଜୀକରଣ କରାଇଥିଲେ। ଜିଲ୍ଲାରେ ପ୍ରାୟ ୫୮ ହଜାର ହେକ୍ଟର ଜମିରେ ଚାଷ ହୋଇଥିଲା। ଏଥିପାଇଁ ଓଡ଼ିଶା ମାଣ୍ଡିଆ ମିଶନ ଅଧୀନରେ ରହିଥିବା ଉଚ୍ଚସ୍ତରୀୟ କିମିଟି ରାଜ୍ୟକୁ ୨ ଲକ୍ଷ କୁଇଣ୍ଟାଲ ଟାର୍ଗେଟ ଦେଇଥିଲେ। କୋରାପୁଟ ଜିଲ୍ଲା ଭାଗରେ ପଡିଥିଲା ୭୧ ହଜାର ୩୦୦। ଏହି ହିସାବରେ କୋରାପୁଟ ଜିଲ୍ଲାରେ ରହିଥିବା ଚାଷୀଙ୍କଠାରୁ ବିଭିନ୍ନ ଲାମ୍ପସ ଓ ଫାର୍ମର ପ୍ରଡ୍ୟୁସର କମ୍ପାନୀ ମାଧ୍ୟମରେ ଟିଡିସିସି ୬୭,୨୭୩ କୁଇଣ୍ଟାଲ ମାଣ୍ଡିଆ କିଣିବା ଆରମ୍ଭ କରିଥିଲା। କିନ୍ତୁ ହଠାତ ଏମ-ପାସ ପକ୍ରିୟା ଲକ୍‌ ହୋଇ ପଡିଥିଲା। ଚାଷୀଙ୍କ ଏଣ୍ଟ୍ରି ହୋଇ ନପାରି ନ ଥିବାବେଳେ ଅଫଲାଇନରେ ୪୪୭ ଚାଷୀଙ୍କ ୩୯୭୨ କୁଇଣ୍ଟାଲ ମାଣ୍ଡିଆ କିଣାଯାଇଥିଲା। ହଠାତ୍‌ ନିର୍ଦ୍ଦାରିତ ସମୟ ପୂର୍ବରୁ ମାଣ୍ଡିଆ ମଣ୍ଡି ବନ୍ଦ କରିଦିଆଗଲା। ଅନଲାଇନ କିଣାବିକା ହେଉଥିବା ଏମ-ପାସକୁ ବନ୍ଦ କରିଦିଆଯିବାରୁ ଜିଲ୍ଲାର ୪୪୭ ଜଣ ଚାଷୀ ଅନଲାଇନରେ ମାଣ୍ଡିଆ ବିକ୍ରି କରିପାରିଲେଣି। କିନ୍ତୁ ସେମାନଙ୍କର ପ୍ରାୟ ୩୯୭୨.୩୧ କୁଇଣ୍ଟାଲ ମାଣ୍ଡିଆକୁ ସରକାର ନେଇ ଗୋଦାମରେ ରଖିସାରିଥିଲାବେଳେ ଅନଲାଇନ ମାଧ୍ୟରେ ଏଣ୍ଟ୍ରି ନେଇ ନ ଥିଲା। ଫଳରେ ଏବେ ମାଣ୍ଡିଆ ବିକ୍ରିକୁ ନେଇ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଛି। ତେବେ ୪୦୬୬ କୁଇଣ୍ଟାଲ ଯେଉଁ ଟାର୍ଗେଟ ଅଧାରୁ କାଟି ଦିଆଗଲା ତାହାକୁ ନେଇ ସମସ୍ୟା ଉପୁଜିବାରେ ଲାଗିଛି। ରାଜ୍ୟସରକାର କୋରାପୁଟ ଜିଲ୍ଲାରୁ ମାଣ୍ଡିଆ ଟାର୍ଗେଟକୁ କାଟି ନୂଆପଡା, ସୁନ୍ଦରଗଡ ଓ କନ୍ଧମାଳ ଆଦି ଜିଲ୍ଲାକୁ ଦେଇଥିବା ଜଣାପଡିଛି। ତେବେ କୋରାପୁଟ ଜିଲ୍ଲାକୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଚାଷୀ ଚାଷ କରିଥିଲେ। ଅମଳ ହେବା ପରେ କିପରି ଓ କେଉଁ ପରିସ୍ଥିତିରେ କୋରାପୁଟ ଜିଲ୍ଲାର ଚାଷୀଙ୍କଠାରୁ ମାଣ୍ଡିଆ କିଣାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ବହୁବାର ଚାଷୀ ଜିଲ୍ଲାପାଳଙ୍କୁ ଭେଟିଥିବାବେଳେ ଆଜି ଟିଡିସିସି କାର୍ଯ୍ୟାଳୟରେ ବସିଥିବା ଦେଖିବାକୁ ମିଳିଛି।  ତେବେ ଏବେ ଜିଲ୍ଲାର ଗୋଦାମରେ ବୈପାରିଗୁଡା ବ୍ଲକର ୧୧୦ ଜଣ ଚାଷୀଙ୍କର ୧୦୭୨.୩୭ କୁଇଣ୍ଟାଲ, ବୋରିଗୁମ୍ମା ବ୍ଲକର ୧୩୬ ଜଣ ଚାଷୀଙ୍କର ୧୦୨୫.୯୫ କୁଇଣ୍ଟାଲ, ଲମତାପୁଟ ବ୍ଲକର ୧୦୮ ଜଣ ଚାଷୀଙ୍କର ୧୦୬୭.୮୬ କୁଇଣ୍ଟାଲ, ଲକ୍ଷ୍ମୀପୁର ବ୍ଲକ ୭୩ ଜଣ ଚାଷୀଙ୍କର ୫୭୦.୩୦ କୁଇଣ୍ଟାଲ ଓ ନନ୍ଦପୁର ବ୍ଲକର ୨୦ଜଣ ଚାଷୀଙ୍କଠାରୁ ୨୨୫.୮୧ କୁଇଣ୍ଟାଲ ମାଣ୍ଡିଆ କିଣାଯାଇ ଗୋଦାମ ରହିଛି।

ସମ୍ବନ୍ଧିତ ଖବର