କୋଟିପତି ଶିକ୍ଷକ ଗିରଫ, ‌ବେହିସାବ ସମ୍ପତ୍ତି ୩.୨୭ କୋଟି

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଏସ୍‌.ରାଉତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଶିକ୍ଷକଙ୍କ ଘର ସମେତ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଗତକାଲି‌ ଚଢ଼ଉ କରିଥିଲେ। ତାଙ୍କର ସ୍ଥାବର, ଅସ୍ଥାବର ମିଶି ସମୁଦାୟ ୪କୋଟି ୩ଲକ୍ଷ ୨୯ହଜାର ୮୬୯ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ୧୯୯୬ ମସିହାରେ ଦୁଷ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ଏବେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ୍‌.ରାଉତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ୧୯୯୨ ମେ ୧ତାରିଖ ଠାରୁ ୨୦୨୦ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାକିରି କରି ୧କୋଟି ୨୭ଲକ୍ଷ ୩୮ହଜାର ୨୭୦ଟଙ୍କା ପାଇଛନ୍ତି। ତାଙ୍କର ଖର୍ଚ୍ଚ ରହିଛି ୫୧ଲକ୍ଷ ୮୧ହଜାର ୨୫୫ଟଙ୍କା। ସହକାରୀ ଶିକ୍ଷକ ଶ୍ରୀ ନାୟକଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୩କୋଟି ୨୭ଲକ୍ଷ ୨୫ହଜାର ୪୪୮ଟଙ୍କା ଆକଳନ ହୋଇଛି, ଯାହାକି ତାଙ୍କର ପ୍ରକୃତ ଆୟ ଠାରୁ ୨୫୬.୯ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଏସ୍‌ପି ଅନୀଲ କୁମାର ପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସହକାରୀ ଶିକ୍ଷକ ଶ୍ରୀ ନାୟକ ପାରଳାଖେମୁଣ୍ଡି ସହର ଏରଦଲା ସାହି ବାସିନ୍ଦା।

ସମ୍ବନ୍ଧିତ ଖବର