ବନ୍ଦ ହେଲା ମୀନାବଜାର, ବ୍ୟବସାୟୀ ନିରାଶ

କିଶନନଗର: କଟକ ଜିଲ୍ଲାର କିଶୋରନଗର ଜାଗର ଯାତ୍ରାରେ ରବିବାର ରାତିରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଯାତ୍ରାରେ ଲାଗିଥିବା ମୀନାବଜାର ବନ୍ଦ ହୋଇଯାଇଛି। କିଶୋରନଗର ହାଟ ପଡ଼ିଆରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ମୀନାବଜାର ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥା’ନ୍ତା। ଏଠାରେ ଶତାଧିକ ବ୍ୟବସାୟୀ ଘରକରଣା ସରଞ୍ଜାମ, ଖେଳଣା, ମନୋହରୀ ସାମଗ୍ରୀ, ଫର୍ଣ୍ଣିଚର‌୍, ଫାଷ୍ଟଫୁଡ୍‌, ଜଳଖିଆ, ଚାଟ୍‌, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌ ଆଦି ଦୋକାନ ଖୋଲିଥିଲେ। ୮ ଦିନ ବ୍ୟବସାୟ ପାଇଁ ବେପାରୀମାନେ ଜିନିଷପତ୍ର ଧରି ଆସିଥିଲେ। ହେଲେ, ୧୨ତାରିଖ ରାତି ପ୍ରାୟ ୨ଟାରେ କିଛି ସ୍ଥାନୀୟ ଯୁବକ ସଂଘବଦ୍ଧ ଭାବେ ଏକ ଫାଷ୍ଟଫୁଡ୍‌ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ କାରିଗରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିସହ ଗତକାଲି ରାତିରେ ମୀନାବଜାର ଚାଲିଥିଲା ବେଳେ କିଛି ଯୁବକ ସେଠାରେ ପହଞ୍ଚି ବେପାର ବନ୍ଦ କରି ଫେରିଯିବା ପାଇଁ ଦୋକାନୀମାନଙ୍କୁ କହିଥିଲେ। ଅନ୍ୟଥା ପରିସ୍ଥିତି ଖରାପ ହେବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଥିଲେ। ଫଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଭୟରେ ବ୍ୟବସାୟୀମାନେ ବ୍ୟବସାୟ ବନ୍ଦ କରିଦେଇଥିଲେ। ମୀନାବଜାରକୁ ଆସିଥିବା ଲୋକମାନେ ମଧ୍ୟ ଭୟରେ ଫେରି ଯାଇଥିଲେ।

ଏ ନେଇ ବ୍ୟବସାୟୀମାନେ ଆୟୋଜକଙ୍କୁ ଭେଟିଥିଲେ ମଧ୍ୟ ସେମାନେ ନିଜର ଅସହାୟତା ପ୍ରକାଶ କରିଥିଲେ। ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ବଦଳରେ କିଶନନଗର ପୁଲିସ ଗତକାଲି ରାତିରେ ହିଁ ମୀନାବଜାରକୁ ବନ୍ଦ କରିଦେବା ସହ ଆଜି ସକାଳେ ଉକ୍ତ ସ୍ଥାନ ଖାଲି କରିବା ଲାଗି ନିର୍ଦ୍ଦେଶ ଦେଇଥିଲା। ଫଳରେ ଅଧାରୁ ବେପାର ବନ୍ଦ କରି ବ୍ୟବସାୟ ପାଇଁ ଆଣିଥିବା ସାମଗ୍ରୀ ସହ ବ୍ୟବସାୟୀମାନେ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ବ୍ୟବସାୟୀମାନେ ଧାରଉଧାର କରି ଜିନିଷପତ୍ର କିଣିବା ସହ ୧୨ରୁ ୧୫ଟଙ୍କା ଫୁଟ୍‌ରେ ଦୋକାନ ପାଇଁ ଜାଗା ନେଇଥିଲେ। ଦୋକାନକୁ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ପାଇଁ ମଧ୍ୟ ସେମାନେ ଅଗ୍ରୀମ  ଟଙ୍କା ଦେଇଥିଲେ। ଦୋକାନଘର ପାଇଁ ଟେଣ୍ଟହାଉସକୁ ବି ଅଗ୍ରିମ ଟଙ୍କା ଦିଆଯାଇଥିଲା। ବ୍ୟବସାୟ କରି ଏହି ଖର୍ଚ୍ଚ ଭରଣା କରିବା ସହ କିଛି ଲାଭ କରିବେ ବୋଲି ସେମାନେ ଆଶା କରିଥିଲେ। ହେଲେ, ବ୍ୟବସାୟୀମାନଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ଲାଭ ବଦଳରେ ସେମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଫେରିଯିବାକୁ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ଆୟୋଜକ କମିଟି ଓ ପୁଲିସକୁ ଦୋଷ ଦେଇଛନ୍ତି। କମିଟି ଓ ପୁଲିସ ଚାହିଁଥିଲେ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଯାଇ ପାରିଥା’ନ୍ତା ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର