କରୋନା କାହାଣୀ: ଉଜୁଡ଼ିଗଲା ସଂସାର, ଅସହାୟ ମୀନାରାଣୀ

ଇନ୍ଦୁପୁର: କେନ୍ଦ୍ରାପଡ଼ା ବ୍ଲକ୍ କୁତରଙ୍ଗ ଗ୍ରାମର ଚନ୍ଦ୍ରମଣି ଦାସ(୫୬)। ରାଜ୍ୟ ବାହାରେ ଯାଇ ଶ୍ରମିକ ଭାବେ କାମ କରୁଥିଲେ। କେତେବେଳେ ଆନ୍ଧ୍ରପ୍ରଦେଶ ତ ଆଉ କେତେବେଳେ ସୁରଟରେ ଦିନ କାଟୁଥିଲେ। ଯାହା ରୋଜଗାର କରୁଥିଲେ, ସେହିଥିରେ ସ୍ତ୍ରୀ ଓ ତିନି ଝିଅ ଦୁଃଖେକଷ୍ଟେ ଚଳୁଥିଲେ। ଗଲା ମାର୍ଚ୍ଚ ମାସରେ ତାଙ୍କୁ କରୋନା ହୋଇଥିବା ଜଣାପଡିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଭୁବନେଶ୍ଵରର ସମ୍ ହସପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ଦୀର୍ଘଦିନ ଚିକିତ୍ସିତ ହେଲା ଭିତରେ ପରିବାର ଲୋକେ ଯାହା ଯେଉଁଠି ରଖିଥିଲେ ସବୁ ଅର୍ଥ ତାଙ୍କ ଔଷଧ କିଣାରେ ସାରିଦେଲେ। କିନ୍ତୁ ବିଧିର ବିଧାନ ଆଗରେ ମୁଣ୍ଡ ନୁଆଇଁ ବାକୁ ବାଧ୍ୟ ହୋଇଥିଲେ ଚନ୍ଦ୍ରମଣିଙ୍କ ପରିବାର। ଏପ୍ରିଲ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ମୃତ୍ୟୁରେ ଅସହାୟ ହୋଇପଡିଛି ତାଙ୍କ ପରିବାର। ପତ୍ନୀ ମୀନାରାଣୀ (୫୦) ତିନି ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ। ବଡ ଝିଅ ମିଳନ ମଞ୍ଜରୀ ଦାସ (୨୭) ଓ ମଝିଆଁ ଝିଅ ନିଲମ୍ ମଞ୍ଜରୀ ଦାସ (୨୫) ଯୁକ୍ତଦୁଇ ଏବଂ ସାନ ନାଗଲକ୍ଷ୍ମୀ ଦାସ (୨୦) ଯୁକ୍ତତିନି ପାସ କରିଛନ୍ତି। ଆଗକୁ ପଢ଼ିବାକୁ ଆଶା ବାନ୍ଧିଥିଲେ। କେତେ ସ୍ୱପ୍ନ ଦେଖିଥିଲେ। କିନ୍ତୁ ବାପାଙ୍କ ଯିବାପରେ ତାଙ୍କ ସ୍ୱପ୍ନରେ ଏବେ ବେଡ଼ି ପଡ଼ିଛି। ଅନ୍ୟପକ୍ଷେ ସ୍ବର୍ଗତ ଦାସଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ସରକାରୀ ପାଇଖାନା ଖଣ୍ଡେ ମିଳିନାହିଁ। ପତ୍ନୀ ମୀନାରାଣୀ ସରକାରୀ ଭତ୍ତାକୁ ଅନେଇ ବସିଛନ୍ତି। ପରିବାରକୁ ସରକାରଙ୍କ ଚାକିରି ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର