ଜଗନ୍ନାଥପ୍ରସାଦ: ୨୦୧୪ ମସିହାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାର କାର୍ଜିସାହିରୁ କୈଳାସ ଚନ୍ଦ୍ର ଡାକୁଆଙ୍କ ଝିଅ ମିନତି (୩୨) ୨୦୧୪ ମସିହାରେ ହଠାତ୍ ନିଖୋଜ ହୋଇ ଯାଇଥିଲେ। ହେଲେ ସମୟଚକ୍ରରେ ପୁଣି ସେ ନିଜ ଭିଟାମାଟିକୁ ଫେରିଛନ୍ତି। କିନ୍ତୁ ଦୀର୍ଘ ୯ ବର୍ଷ ଧରି ତାଙ୍କର ସଂଘର୍ଷ ଓ ହୃଦୟବିଦାରକ ଅନୁଭୂତିର ଭୟାନକ କାହାଣୀ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୋଲକାତାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ଜଗନ୍ନାଥପ୍ରସାଦ ପୁଲିସକୁ ହସ୍ତାନ୍ତର କରିଛି। ଆଉ ମିନତି ତାଙ୍କ ବଡ଼ଭଉଣୀ ଅନିତାଙ୍କ ପାଖକୁ ଫେରିଛନ୍ତି। ନିଜ ଅନୁଭୂତି ବଖାଣି ମିନତି କହିଛନ୍ତି, ୨୨ ବର୍ଷ ବୟସରେ ଘରର ଆର୍ଥିକ ସ୍ବଚ୍ଛଳ ଭଲ ନଥିବାରୁ ସେ ଘର ଛାଡ଼ି ଦେଇଥିଲେ। ଏହାସହ ତାଙ୍କର ମାନସିକ ସ୍ଥିତି ଠିକ୍ ରହୁ ନଥିଲା। ଫଳରେ ସେ କାହା ଉପରେ ବୋଝ ନହେବାକୁ ମନସ୍ଥ କରି ହଠାତ୍ ଘର ଛାଡ଼ି ଦେଇଥିଲେ।

Advertisment

ବସ୍ ‌ଓ ଟ୍ରେନ୍‌ରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ପଳାଇଥିଲେ। ସେଠାରେ ରେଳଷ୍ଟେସନ ଫୁଟପାଥରେ ବୁଲୁଥିବା ବେଳ‌େ ରାଜୁ ଇହରବା ନାମକ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ପରେ ସେମାନେ ବିବାହ କରିଥିଲେ। ଏକ ଝୁମ୍ପୁଡ଼ିରେ ସେମାନେ ରହୁଥିଲେ। ଏହାମଧ୍ୟରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହୋଇଥିବା ବେଳେ ଉଭୟ ସନ୍ତାନ ମରି ଯାଇଥିଲେ। ଆଉ ଏଭଳି ପରିସ୍ଥିତିରେ ଆଉ ଏକ ସନ୍ତାନକୁ ଝୁମ୍ପୁଡ଼ିରୁ କେହି ଚୋରି କରି ନେଇଥିଲା। ଫଳରେ ମିନତି ପୁରାପୁରି ଭାଙ୍ଗି ପଡ଼ିଥିଲେ। ଏଭଳି ପରିସ୍ଥିତ‌ିରେ ସ୍ବାମୀ ରାଜୁ ତାଙ୍କଠୁ ଦୁରେଇ ଯିବାକୁ ଉଦ୍ୟମ କରିଥିଲେ। ସନ୍ତାନ ନିଖୋଜ ହେବାର କିଛିଦିନ ପରେ ରାଜୁ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜମ୍ମୁକାଶ୍ମୀରର ଶ୍ରୀନଗର ଥାନା ଅଧୀନ ଜରିୟା ଗାଁରେ ଏକୁଟିଆ ଛାଡ଼ି କୁଆଡ଼େ ଫେରାର ହୋଇଯାଇଥିଲେ।

ସ୍ବାମୀଙ୍କୁ ସେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ଦିଲ୍ଲୀ, ନୋଇଡ଼ା ଓ ଗୁରୁଗାଁଓ ଭଳି ଅନେକ ସ୍ଥାନରେ ଖୋଜିଥିଲେ। କିନ୍ତୁ ନପାଇ ପାଗଳ ପ୍ରାୟ ହୋଇ ଯାଇଥିଲେ। ପଶ୍ଚିମବଙ୍ଗର କୋଲକାତା ସହରରେ ଦିନରାତି ବୁଲୁଥିବା ବେଳ‌େ ପୁଲିସ ତାଙ୍କୁ ଉଦ୍ଧାର କରି ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ୬ ମାସ ଧରି ଚିକିତ୍ସା ଚାଲିଥିଲା। ସୁସ୍ଥ ହେବା ପ‌ରେ କୋଲକାତାର କେସ ସ‌ପୋର୍ଟ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିନତିଙ୍କୁ କାଉନସିଲିଂ କରିଥିଲେ। ସଂସ୍ଥାର ମ୍ୟାନେଜର ଅନିନ୍ଦିତା ଚକ୍ରବର୍ତ୍ତୀ ଓ ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଶୁକ୍ଲା ଦାସ ବରୁଆ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ମିନତିଙ୍କ ବୟାନ ଅନୁସାରେ ଆଜି ବୁଧବାର ତାଙ୍କୁ ଜଗନ୍ନାଥପ୍ରସାଦକୁ ଆଣିଥିଲେ। ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ଓ କାଦୁଆ ସରପଞ୍ଚଙ୍କ ସ୍ବାମୀ ସଲିଲ କୁମାର ସାହୁଙ୍କ ଉପସ୍ଥିତିରେ ମିନତିଙ୍କୁ ତାଙ୍କ ବଡ଼ଭଉଣୀ ଅନିତାଙ୍କୁ ହସ୍ତାନ୍ତର କରାଯାଇଛି।