‘ସମ୍ବାଦ’ରେ ଖବର ପ୍ରକାଶନ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା, ଚକ୍ଷୁ ପରୀକ୍ଷା ପାଇଁ ମିନତିକୁ ପଠାଗଲା କୋରାପୁଟ

ବୈପାରିଗୁଡା:  ବୈପାରିଗୁଡା ଜିଲ୍ଲା ଅନ୍ତର୍ଗତ ଦୁର୍ଗମ ଦଣ୍ଡାବାଡି ପଞ୍ଚାୟତର ଗୁଡଦିଗୁମ୍ମା ଗ୍ରାମର ସେକ୍ରୁ ପାଙ୍ଗୀଙ୍କ ପାଞ୍ଚ ବର୍ଷର ଦୃଷ୍ଟିବାଧିତା ଝିଅ ମିନତି ପାଙ୍ଗୀ ସମ୍ପର୍କରେ ଗତ ୩୦ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବୈପାରିଗୁଡା ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଡ଼ଃ. ଅଧିରାଜ ସାହୁଙ୍କ ନିର୍ଦେଶକ୍ରମେ ଡ଼ଃ. ପ୍ରତାପ ଚନ୍ଦ୍ର ତ୍ରିପାଠୀ ମିନତିକୁ ବୈପାରିଗୁଡା ଅଣାଯିବା ସହ ଚକ୍ଷୁ ପରୀକ୍ଷା ପାଇଁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ଏଠାରେ ସ୍ମରଣଯୋଗ୍ୟ ଯେ, ପାହାଡ଼ ଜଙ୍ଗଲ ଘେରା ନକ୍ସଲ ପ୍ରଭାବିତ ଦଣ୍ଡାବାଡି ପଞ୍ଚାୟତର ଗୁଡଦିଗୁମ୍ମା ଗ୍ରାମର ସେକ୍ରୁ ପାଙ୍ଗୀଙ୍କ ପାଞ୍ଚ ବର୍ଷର ଝିଅ ମିନତି ଜନ୍ମରୁ ଦୃଷ୍ଟିବାଧିତା। ଯାହାର ଭବିଷ୍ୟତକୁ ନେଇ ବାପା ମାଆ ଚିନ୍ତାରେ ରହିଥିବା ବେଳେ ଆର୍ଥିକ ଅସ୍ବଛଳତା ଯୋଗୁ ବିକଳ୍ପ ବ୍ୟବସ୍ଥା କରିନପାରି ଅସହାୟ ହୋଇପଡ଼ିଥିଲେ।

ବାପା ସେକ୍ରୁ ଜଣେ ଦିନ ମଜୁରିଆ ହୋଇଥିବା ବେଳେ କାମ ଯୋଗାଡ଼ କରିବା ପାଇଁ ଦୂରଦୂରାନ୍ତରକୁ ଯାଇଥାନ୍ତି। ମାଆ ମଧ୍ୟ ମୂଲ ଖଟିବା ପାଇଁ ଘର ଛାଡ଼ି ବାହାରକୁ ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ସାହିରେ ରହୁଥିବା ମିନତିର ସାଙ୍ଗସାଥୀ ତାକୁ ଖେଳେଇଥାନ୍ତି। ବେଳେବେଳେ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ନେଇଥାନ୍ତି। ଝିଅର ଚିକିତ୍ସା ପାଇଁ ବାପା ମାଆଙ୍କ ନିବେଦନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଜି ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ତତ୍ପରତା ପ୍ରକାଶ ପାଇବା ସହ ମିନତିକୁ କୋରାପୁଟ ପଠାଇବାର ବ୍ୟବସ୍ଥା କରାଯାଇଥିବା ପ୍ରକାଶ। ତେବେ ବାପା ମାଆଙ୍କର ଇଚ୍ଛା ଯେ ଝିଅ ତାଙ୍କର ପାଠ ପଢୁ। ତେଣୁ ଅନ୍ଧ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢେଇବାର ବ୍ୟବସ୍ଥା କରିବା ପାଇଁ ପରିବାର ତରଫରୁ ଅନୁରୋଧ କରାଯାଇଛି। ଏଦିଗରେ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ସହାୟତା ପାଇଁ ସେକ୍ରୁ ପାଙ୍ଗୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର