ମନୋହରପୁର ଖଣି ବିସ୍ଥାପିତ ବିବାହିତାଙ୍କୁ ମିଳିବ କ୍ଷତିପୂରଣ !

ସୁନ୍ଦରଗଡ଼ : ହେମଗିରସ୍ଥିତ ମନୋହରପୁର କୋଇଲା ଖଣି ବିସ୍ଥାପିତ ବିବାହିତାମାନଙ୍କୁ ନିୟମ ଅନୁଯାୟୀ ପୁନର୍ବାସ ଓ ଥଇଥାନ ପ୍ରଦାନ ଦାବିରେ ଖଣି ଅନ୍ତର୍ଗତ ମନୋହରପୁର ଓ ସାନଗୁମୁଡ଼ାର ଶତାଧିକ ମହିଳା ଓସିପିଏଲ କାର୍ଯ୍ୟାଳୟ ଆଗରେ ଗତ ୨୦୨୧ ଡିସେମ୍ବରରୁ ଧାରଣା ଜାରି ରଖିଥିଲେ। ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନିୟମ ଅନୁସାରେ ସର୍ଭେରେ ନାମ ଥିବା ବିବାହିତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଏହା ପରେ ଦୀର୍ଘ ୩ ମାସ ଧରି ଚାଲିଥିବା ଧାରଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବିସ୍ଥାପିତ ପରିବାରର ୧୮ ବର୍ଷରୁ ଉର୍ଦ୍ଧ୍ବ ଅବିବାହିତା ଝିଅମାନଙ୍କୁ ପୁନର୍ବାସ ଓ ଥଇଥାନ ନୀତିରେ ଅନ୍ତର୍ଭୁକ୍ତ କରି କ୍ଷତିପୂରଣ ସହ ଅନ୍ୟ ସହାୟତା ଦିଆଯାଉଥିବା ବେଳେ ବିବାହିତାଙ୍କୁ ଏଥିରୁ ବଞ୍ଚିତ କରାଯାଉଥିବାରୁ ମହିଳାମାନେ ଏହାର ପ୍ରତିବାଦ କରିବା ସହ ତୁରନ୍ତ ସମସ୍ତ ବିବାହିତାଙ୍କୁ ପୁନର୍ବାସ ଓ ଥଇଥାନ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଥିଲେ। ପ୍ରଶାସନ ଅନେକ ବାର ଆଲୋଚନା କରିଥିଲେ ମଧ୍ୟ ନ୍ୟାୟ ଦାବିରେ ମହିଳାମାନେ ଧାରଣାରୁ ଉଠି ନଥିଲେ। ଶେଷକୁ ପ୍ରଶାସନ ନିୟମ ମୁତାବକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା କୁ ବାଧ୍ୟ ହୋଇଥିବା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର