ସୁନ୍ଦରଗଡ଼: ନିକଟରେ ମହାନଦୀ ଖୋଲା ମୁହଁ କୋଇଲା ଖଣି (ଏମସିଏଲ)ର ଲଇକେରା ରେଲୱେ ସାଇଡିଂ ନିକଟ ଏକ ସ୍ଥାନରୁ ବେଆଇନ ଭାବେ ଗଚ୍ଛିତ ୨୮ ହଜାର ୯୫୪ ଟନ୍ କୋଇଲା ଜବତ ହେବା ଓ ଏଥିରେ ଟ୍ରାନ୍ସପୋର୍ଟର ଅନିୟମିତତା କରିଥିବା ଖଣି ଅଧିକାରୀ ସ୍ବୀକାର କରିବା ପରେ ପୁଣି ଥରେ ଏମସିଏଲର କୋଇଲା ଚୋରି କଥା ସାମ୍ନାକୁ ଆସିଛି। ଏମସିଏଲ୍ରେ କୋଇଲା ଖଣି କ୍ଷେତ୍ର ବସୁନ୍ଧରା, କୁଲଡା, ଗର୍ଜନବାହାଲ ଖଣି ସମେତ କନିକା, ସରଡେଗା, ଲଇକେରା ରେଲୱେ ସାଇଡିଂରୁ ବେଧଡ଼କ କୋଇଲା ଚୋରି ହେଉଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଭିନ୍ନଭିନ୍ନ ଚତୁର ତରିକା ପ୍ରୟୋଗ କରାଯାଉଥିବା ବେଳେ କୋଇଲା ମାଫିଆ, ଖଣି ଓ ପରିବହନ ଦାୟିତ୍ବରେ ଥିବା ଏମସିଏଲ ଅଧିକାରୀ ମାନେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଖଣିରୁ ଓଭରଲୋଡିଂ ଓ କୋଇଲା ଗଦାରେ ନିଆଁ ଲାଗିବା ନିୟମିତ ଘଟଣା ହୋଇଥିବା ବେଳେ ଏହା ଜରିଆରେ ଶହଶହ ଟନ୍ କୋଇଲା ଚୋରି କରାଯାଉଛି।
ବିଶେଷ କରି ଓଭରଲୋଡିଂ କଥା ଚର୍ଚ୍ଚା କଲା ବେଳେ ଜଣାପଡ଼ିଛି ଯେ, ଖଣି ସମ୍ପୂର୍ଣ୍ଣ ପରିବହନ ସଂସ୍ଥା କବଜାରେ। ଖଣି ଖନନ, ଉତ୍ପାଦନ ଠାରୁ ଆରମ୍ଭ କରି ପରିବହନ ଯାଏ ସବୁ କାର୍ଯ୍ୟ ଠିକା ସଂସ୍ଥା ହାତରେ। ଏଥିରେ ଚୋରିର ମୁଖ୍ୟ ବାଟ ସାଜିଛି ଖଣି ୱେବ୍ରିଜ୍। ଏହାର ପରିଚାଳନା ଓ ନିୟନ୍ତ୍ରଣ ଏମସିଏଲ ପରିବର୍ତ୍ତେ ଠିକା ସଂସ୍ଥା ବା ଠିକାଦାର ହାତରେ ରହିଛି। ୱେବ୍ରିଜରେ ଏମସିଏଲ କର୍ମଚାରୀ ବସିବା ବଦଳରେ ଠିକା ସଂସ୍ଥା କର୍ମଚାରୀ ବସୁଛନ୍ତି। ଯେଉଁଥିପାଇଁ କୋଇଲା ଚୋରି ସହଜ ହୋଇଥିବା କୁହାଯାଉଛି। ରେଲ ସାଇଡିଂ ହେଉ କି ରୋଡସେଲ୍ ହେଉ କୋଇଲା ବୋଝେଇ ଟ୍ରକ ଓଜନ ପାଇଁ ଥିବା ୱେବ୍ରିଜରେ ଠିକା ସଂସ୍ଥା କର୍ମଚାରୀ ଥିବାରୁ ଓଭରଲୋଡିଂ ଟ୍ରକ ସହଜରେ ବାହାରକୁ ଆସିଯାଉଛି। ଏହି ବାଟରେ ଥରକେ ମଲ୍ଟି ଏକ୍ସଲ ଟ୍ରକରେ ୨ରୁ ୪ ଟନ୍ କୋଇଲା ଚୋରି ହେଉଥିବା କୁହାଯାଉଛି। ତେବେ ୱେବ୍ରିଜ୍ରେ ଏମସିଏଲ କର୍ମଚାରୀଙ୍କ ପରିବର୍ତ୍ତେ ଠିକା ସଂସ୍ଥା କର୍ମଚାରୀଙ୍କୁ ନିୟୋଜିତ କରିବାକୁ କିଏ ଅନୁମତି ଦେଇଛି, ତାହା ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଏଥିରେ ଏମସିଏଲ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ହାତ ଥିବା ଅଭିଯୋଗ ହୋଇଛି। ନିଜ ପକେଟ ଭରିବା ପାଇଁ ଅଧିକାରୀ, କର୍ମଚାରୀ, ସିଧାସଳଖ ଓଭରଲୋଡିଂ ଜରିଆରେ କୋଇଲା ଚୋରିକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଅନ୍ୟପଟେ ଏମସିଏଲର ବିଭିନ୍ନ ଖଣି କ୍ଷେତ୍ରରେ ଥିବା କୋଇଲା ଗଦାରେ ପ୍ରାୟ ସବୁବେଳେ ନିଆଁ ଲାଗିଥିବା ଦେଖାଯାଏ। କିନ୍ତୁ ତାହା ମନକୁ ମନ ନୁହେଁ, ଅନେକ ସମୟରେ ଅତି ଚତୁରତାର ସହ ସେଥିରେ ନିଆଁ ଲଗାଇ ଦିଆଯାଏ।
ପରବର୍ତ୍ତୀ ସମୟରେ ବହୁ ପରିମାଣର କୋଇଲା ଜଳି ଯାଇଥିବା ଦର୍ଶାଇ ତାକୁ ଭିନ୍ନ ବାଟରେ ଚାଲାଣ କରାଯାଉଥିବା ଅଭିଯୋଗ ରହିଛି। ବିଗତ ଦିନରେ ଏହି ଚୋରି ସମ୍ପର୍କରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କେନ୍ଦ୍ର କୋଇଲା ସଚିବଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ପରେ ପ୍ରତିଟି ଖଣି ଅଞ୍ଚଳରେ ୮୦ରୁ ଅଧିକ ସିସିଟିଭି କ୍ୟାମେରା ଓ ଟ୍ରକଗୁଡ଼ିକରେ ଜିପିଏସ୍ ଲଗାଯାଇଥିଲା। କିନ୍ତୁ ସେତେବେଳେ ବେଶ କିଛି ସମୟ ଏ କାରବାର ବନ୍ଦ ହୋଇଯାଇଥିଲେ ମଧ୍ୟ ଥଣ୍ଡା ପଡ଼ିଯିବା ପରେ ପୁଣି ସେହି ତରିକାରେ ଚୋରି ଚାଲିଥିବା ପ୍ରକାଶ ପାଇଛି। ସିସିଟିଭି କ୍ୟାମେରା ଓ ଜିପିଏସ୍ ନାମକୁ ମାତ୍ର ରହିଛି। କ୍ୟାମେରାଗୁଡ଼ିକ ଖରାପ ହୋଇଯାଇଥିଲେ ମଧ୍ୟ ଏମସିଏଲ କର୍ତ୍ତୃପକ୍ଷ ଜାଣିଶୁଣି ସେସବୁର ମରାମତି କରୁ ନାହିଁ। ଅନ୍ୟପଟେ ଟ୍ରକର ଲାଗିଥିବା ଜିପିଏସ୍ ଅପରେଟିଂ ଦାୟିତ୍ବ ଏମସିଏଲ ହାତରେ ଥିଲେ ମଧ୍ୟ ସେସବୁ ମନମର୍ଜିରେ ଚାଲିଛି। ବହୁ ସମୟରେ ଜିପିଏସ୍ ଖୋଲି ଚୋରା କୋଇଲା ପରିବହନ କରାଯାଉଛି। ଏହି ତରିକାରେ ମଲ୍ଟି ଏକ୍ସଲ ଟ୍ରକ ଓ ଟ୍ରେଲର ମାଧ୍ୟମରେ ଖଣି ଓ ସାଇଡିଂରୁ ଦୈନିକ ୨ ହଜାର ଟନ୍ କୋଇଲା ଚୋରି ହେଉଥିବା ଅଭିଯୋଗ ହେଉଛି। ଆଉ ଏହି କାରଣରୁ ଉଭୟ ଏମସିଏଲ ଓ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-23-at-8.41.59-PM.jpeg)