ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ୨୫ ମାର୍ଚ୍ଚ ୨୦୧୪। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଧୀନ କଳାବାଡ଼ିଆଠାରୁ ୧୧ କିଲୋମିଟର ଦୂର ଶାଳବଣି-ଆନ୍ଦୋଳା ରାସ୍ତା ନିକଟ ବୁଢ଼ାବଳଙ୍ଗ ନଦୀକୂଳରୁ ସୁନା ମିଳୁଛି। ଏପରି କିଛି ପ୍ରଚାର ହେବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ଉକ୍ତ ସ୍ଥାନରେ ପୋଲ ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିବା ବେଳେ କିଛି ମାଟି ଚକ୍ଚକ୍ କରୁଥିବାରୁ ଲୋକେ ତାକୁ ସୁନା ଓ ବକ୍ସାଇଟ୍ ବୋଲି ଭାବିନେଇଥିଲେ। ତେବେ ଏହି ଘଟଣାକୁ ୯ ବର୍ଷ ବିତିଯାଇଥିବା ବେଳେ ଏବେ ପୁଣି ଥରେ ସୁନା ପାଇଁ ଜିଲ୍ଲା ଚର୍ଚ୍ଚାକୁ ଆସିଛି। ରାଜ୍ୟର ଦେବଗଡ଼ ଓ କେନ୍ଦୁଝର ସହ ମୟୂରଭଞ୍ଜ ଜିଲ୍ଲାର ଏକାଧିକ ସ୍ଥାନରେ ସୁନାପଥର ରହିଥିବା ସୋମବାର ଦିନ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାନସଭାରେ ବିବୃତି ରଖିଛନ୍ତି।
ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ; ମୟୂରଭଞ୍ଜ ଅଧୀନ ଯଶିପୁର, ସୁରିଆଗୁଡ଼ା, ଭୁଆଁସି, ଇଡ଼େଳକୁଚା, ମାରେଡ଼ିହି ଓ ସୁଲେଇପାଟ ନିକଟ ଧୁସୁରା ପାହାଡ଼, ବାଦାମପାହାଡ଼ ଅଞ୍ଚଳରେ ସୁନା ରହିଛି। ଧୁସୁରା ପାହାଡ଼ର ୨.୩ କିଲୋମିଟର ବ୍ୟାପୀ ଅଞ୍ଚଳରେ ପ୍ରତି ୧ ଟନ୍ ପଥରରୁ ସର୍ବାଧିକ ୦.୮ ଗ୍ରାମ ପର୍ଯ୍ୟନ୍ତ ସୁନା ମିଳିବାର ସମ୍ଭାବନା ଥିବା ୧୯୭୦-୭୧ ମସିହାରେ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ) ପକ୍ଷରୁ କରାଯାଇଥିବା ଅନୁସଂଧାନରୁ ଜଣାପଡ଼ିଛି। ସେହିପରି ମାରେଡ଼ିହି-ବାଦାମପାହାଡ଼ ଅଞ୍ଚଳରେ ମଧ୍ୟ ସୁନାପଥର ଥିବା କୁହାଯାଇଛି।
ତେବେ ଜିଲ୍ଲାରେ ସୁନାପଥର ମହଜୁଦ ଥିବା ଓ ସୁନା ମିଳିବା ନୂଆକଥା ନୁହେଁ। ଏଠାରେ ସୁନାକୁ ନେଇ ଲମ୍ବା ଇତିହାସ ରହିଛି। ୨୩୦୦ ବର୍ଷ ତଳେ ଆଟଲାସ୍ ତିଆରି କରିଥିବା ଗ୍ରୀକ୍ର ମହାନ୍ ମନୀଷୀ ଟଲେମୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖାରେ ସୁନା ଥିବା କଥା ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଜିଏସ୍ଆଇ ସର୍ଭେରୁ ମଧ୍ୟ ଜଣାପଡ଼ିଛି ଯେ ଝାଡ଼ଖଣ୍ଡର ରାଞ୍ଚି ଅନ୍ତର୍ଗତ ଲଙ୍ଗଟୁ, ପରସି ଓ ସିନ୍ଦୌରି ଗ୍ରାମ ନିକଟ ମାଟିତଳେ ସୁନାପଥର ରହିଛି। ଯେଉଁ ପଥରରୁ ସୁନା କଣିବା ଧୋଇହୋଇ ସୁବର୍ଣ୍ଣରେଖା ନଦୀସ୍ରୋତରେ ଭାସିଆସୁଛି। ଆଉ ପାରମ୍ପରିକ କୌଶଳ ଆପଣେଇ ସମୟାନୁକ୍ରମେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଅନେକ ପରିବାର ସୁବର୍ଣ୍ଣରେଖାରୁ ଅତି ନଗଣ୍ୟ ହେଲେ ମଧ୍ୟ ସୁନାକଣିକା ବା ଗୋଲ୍ଡ ଡଷ୍ଟ ଖୋଜିପାଇଛନ୍ତି। ଏପରି ସମୟରେ ଟଲେମୀଙ୍କ ଉକ୍ତି ଓ ଜିଏସ୍ଆଇ ସୂଚନାର ଯେ ସତ୍ୟତା ଅଛି, ତାହା ପ୍ରମାଣିତ ହେଉଛି। ସେହିପରି ଟଲେମୀ ନଦୀ ସନ୍ନିକଟ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳର ମାଟି ତଳେ ସୁନା ଥିବା କଥା ମଧ୍ୟ କହିଥିଲେ। ପୂର୍ବରୁ ଏଠାରେ ହୋଇଥିବା ଜିଏସ୍ଆଇ ସର୍ଭେରୁ ଏ କଥାର ପ୍ରମାଣ ମିଳିଥିବା ବେଳେ ସୋମବାର ବିଧାନସଭାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦେଇଥିବା ବିବୃତି ପରେ ଜିଲ୍ଲାରେ ସୁନା ସନ୍ଧାନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି।
ଗୋଟିଏପଟେ ମୟୂରଭଞ୍ଜରେ ସୁନା ଥିବା କଥା ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଅନ୍ୟପଟେ ଦେଶ ତଥା ରାଜ୍ୟର ବିକାଶ ନେଇ ଆଲୋଚନା ଜୋର୍ ଧରିଲାଣି। କୁହାଯାଉଛି, ଜିଲ୍ଲାରେ ସୁନାଖଣି ହେଲେ ଅର୍ଥନୀତି ସୁଦୃଢ଼ ହେବ। ଏ ନେଇ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବ ବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ଡ. ଅସୀମ ଅମିତାଭ ପ୍ରଧାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ମୟୂରଭଞ୍ଜରେ ସୁନା ଥିବା ନେଇ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଯେଉଁ ତଥ୍ୟ ଦେଉଛି; ସେଥିରେ ସତ୍ୟତା ରହିଛି। ହେଲେ ଏଠାରେ ଖଣି ଖୋଳାଯିବା ସମ୍ଭାବନା କ୍ଷୀଣ। କାରଣ ଖଣି ବାବଦରେ ଯେତିକି ଅର୍ଥ ଖର୍ଚ୍ଚ ହେବ, ମୟୂରଭଞ୍ଜ ମାଟିରେ ସେହି ତୁଳନାରେ ସେତିକି ସୁନା ନାହିଁ ବୋଲି ସେ କହିଛନ୍ତି।
Follow Us