ଦୁବାଇ ଫେରନ୍ତା ପଜିଟିଭ୍‌ ଘଟଣାରେ ସମ୍ପର୍କୀୟଙ୍କ ଘର ଇଲାକାକୁ ମିନି କଣ୍ଟେନ୍‌ମେଣ୍ଟ୍‌ ଘୋଷଣା

ଭଞ୍ଜନଗର: ଗତ ମଙ୍ଗଳବାର ଭଞ୍ଜନଗରରେ ଜଣେ ଦୁବାଇ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଖବର ପାଇବା ପରେ ତାଙ୍କୁ ଉପଖଣ୍ଡ ସ୍ବାସ୍ଥ ଟିମ୍‌ ଲଣ୍ଡେଇ ସାହି ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରୁ ଆଣି ମେଡିକାଲ୍‌ରେ ହୋଇଥିବା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖିଥିଲେ। ଆଜି ପ୍ରଶାସନ ପକ୍ଷରୁ ସେ ରହିଥିବା ସମ୍ପର୍କୀୟଙ୍କ ଘର ଇଲାକାକୁ କଣ୍ଟେନ୍‌‌ମେଣ୍ଟ୍‌ ଘୋଷଣା କରାଯାଇଛି। ଭଞ୍ଜନଗର ବ୍ଳକ୍‌ ଲାଲସିଂହ ପଞ୍ଚାୟତର ଲଣ୍ଡେଇ ସାହି ଓ ଛେଦାଭୂମୀ ମୁଖ୍ୟ ରାସ୍ତାକୁ ବାଉଁଶବାଡ ‌ଦେଇ ବନ୍ଦ କରାଯାଇଛି। ଅଞ୍ଚଳର ପ୍ରାୟ ୫୦-୬୦ ମିଟର ପରିଧିକୁ ସାଧାରଣ ଲୋକଙ୍କ ଯାତାୟତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି। ଏହି ସମୟରେ ମିନି କଣ୍ଟେନ୍‌ମେଣ୍ଟ୍‌ ଅଧିନରେ ରହୁଥିବା ପରିବାର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇବା ସହ ସେମାନଙ୍କ ସ୍ବାସ୍ଥ ଅବସ୍ଥା ସମ୍ପର୍କରେ ନଜର ରଖାଯାଇଛି। ପଜିଟିଭ୍‌ ବ୍ୟକ୍ତି ଯେଉଁ ଘରେ ରହିଥିଲେ ସେହି ସମ୍ପର୍କୀୟ ମାନଙ୍କ ଗତକାଲି ସ୍ବାବ୍‌ ସଂଗ୍ରହ କରାଯାଇଥିବା ବେଳେ ପଡୋଶୀ ମାନଙ୍କୁ ଘରୋଇ ସ‌ଙ୍ଗରୋଧରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିବର୍ତ୍ତି ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଅନ୍ୟପଟେ ଉକ୍ତ ବ୍ୟକ୍ତି ଜଣକ ସ୍ବତନ୍ତ୍ର ଆଇସୋଲେସନ୍‌ କକ୍ଷରେ ରହିଥିବା ବେଳେ ତାଙ୍କର ରିପୋର୍ଟ ଆସିନଥିବା ମେଡିକାଲ୍‌ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି।

ତାଙ୍କ ନିକଟରେ ଓମିକ୍ରନ୍‌ ପ୍ରଜାତି ରହିଛି ନା ନାହିଁ ତାକୁ ଯାଞ୍ଚ କରିବା ପାଇଁ ତାଙ୍କ ସ୍ବାବ ନମୁନା ଭୁବନେଶ୍ବର ପଠାଯାଇଥିବା ବେଳେ ସେହି ରିପୋର୍ଟ ଆସିବା ‌ପରେ ପୁଣି ତାଙ୍କ କୋଭିଡ ଯାଞ୍ଚ କରାଯିବ। ସେହି ରିପୋର୍ଟ ଆସିବା ପରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ସହ‌ ଯୋଗାଯୋଗ କରି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ନିଜ ଘର ସୁନ୍ଦରଗଡ ଜିଲ୍ଲା ରାଉରକେଲା। ସେ ଗତ ୩୦ ତାରିଖରେ ଦୁବାଇରୁ ବିମାନ ଯୋଗେ ଆସିଥିଲେ। ବିମାନବନ୍ଦରରେ ତାଙ୍କର ଆରଟିପିସିଆର୍ ଟେଷ୍ଟ୍ ହୋଇଥିଲା। କିନ୍ତୁ ରିପୋର୍ଟ ଆସି ନଥିଲା। ହେଲେ ବ୍ୟକ୍ତି ଜଣକ ନିୟମନୁସାରେ ନିଜ ଘରେ ସଙ୍ଗରୋଧରେ ନ ରହି ଗତକାଲି ଭୋର୍ ୪ଟାରେ ଭଞ୍ଜନଗର ସହର ‌ଲଣ୍ଡେଇ ସାହିକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ‌ସେଠାରେ ସେ ପଜିଟିଭ୍‌ ଥିବା ଜଣାପଡିବା ପରେ ସ୍ଥାନୀୟ ଇଲାକାରେ ଆଲୋଡନ ସୃଷ୍ଟି ହୋଇଛି। ଦୀର୍ଘଦିନ ହେଲା ଭଞ୍ଜନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକା ସର୍ତ୍ତକତା ଅବଲମ୍ବନ କରିବା ନି‌ମନ୍ତେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର