ରାୟଗଡ଼ା ଜିଲ୍ଲାରେ ନକ୍ସାରେ ସୀମିତ ମିନି ଷ୍ଟାଡିୟମ୍: ୧୦ ବ୍ଲକରେ ଆଣ୍ଠେଇଛି ଯୋଜନା, କ୍ରୀଡ଼ାବିତ୍ ନିରାଶ

ଜିସିଡ଼ି ପଡ଼ିଆର ବିକାଶ ପାଇଁ ଏନ୍ଓସି ଦେଉନି ଶିକ୍ଷା ବିଭାଗ, ପାଚେରୀ କାମରେ ଅଟକିଛି ଜେକେପୁରସ୍ଥିତ ଜିଲ୍ଲା ଷ୍ଟାଡିୟମ୍

ରାୟଗଡ଼ା: ମିନି ଷ୍ଟାଡିୟମ୍‌ ଲାଗି ଅଧା ବ୍ଲକରେ ଜାଗା ମିଳୁନି। କିଛି ବ୍ଲକରେ ଟଙ୍କା ଖର୍ଚ୍ଚ ହୋଇପାରୁନି। ଯେଉଁଠି କାମ ଆରମ୍ଭ ହୋଇଛି ୪ ବର୍ଷ ବିତି ଯାଇଥିଲେ ମଧ୍ୟ ସରିପାରୁନି। ଫଳରେ ଜିଲ୍ଲାର ୧୦ ବ୍ଲକରେ ଭୂଇଁରୁ ଉଠିପାରୁନି ମିନି ଷ୍ଟାଡିୟମ୍। ବ୍ଲକ୍-ତହସିଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ୍ ମନୋଭାବ ଯୋଗୁ ଜିଲ୍ଲାରେ ‌ଷ୍ଟାଡିୟମ୍ ଯୋଜନା ଆଣ୍ଠେଇ ପଡିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଗୁରୁତ୍ବ ଦେଉନି। ଯାହା କ୍ରୀଡ଼ାର ବିକାଶରେ ବାଧକ ସାଜିବା ସହ କ୍ରୀଡ଼ାବିତଙ୍କୁ ନିରାଶ କରିଛି।

ପ୍ରତି ବ୍ଲକରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ବାଦ୍ ଆଉ ୫ ଲକ୍ଷ ଟଙ୍କା ଲେଖାଁଏ ବିଧାୟକ ଓ ସାଂସଦ ପାଣ୍ଠିରୁ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳ, ଜିଲ୍ଲାସ୍ତରର କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ରାଜ୍ୟସ୍ତରକୁ ଆଣିବା ପରେ ଜାତୀୟ-ଅର୍ନ୍ତଜାତୀୟ ସ୍ତରରେ ପହଞ୍ଚାଇବା। ହେଲେ ସରକାରଙ୍କ ଏହି ଯୋଜନା ଆଜି ପର୍ଯ୍ୟନ୍ତ ନକ୍ସାରେ ହିଁ ସୀମିତ୍ ରହିଛି। କେବଳ ଗୁଣପୁର ବ୍ଲକକୁ ଛାଡ଼ିଲେ ଅନ୍ୟ କେଉଁଠି ଷ୍ଟାଡିୟମ୍ ନିର୍ମାଣ ଶେଷ ହୋଇନି।

ରାୟଗଡ଼ା ଜିଲ୍ଲାରେ କ୍ରୀଡ଼ା ପ୍ରତିଭାର ଅଭାବ ନଥିବା ବେଳେ ଭଲ ଷ୍ଟାଡିୟମ, କୋଚ୍, କ୍ରୀଡ଼ା ଛାତ୍ରାବାସ ନଥିବାରୁ କ୍ରୀଡ଼ାବିତ୍ ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି। କେବଳ ଏତିକି ନୁହେଁ, ଆଜି ସୁଦ୍ଧା ଜିଲ୍ଲାରେ ସ୍ଥାୟୀ କ୍ରୀଡ଼ା ଅଧିକାରୀ ନିଯୁକ୍ତି ମଧ୍ୟ ହୋଇ ପାରି ନାହାନ୍ତି। କୋଚ୍ ଶେଖ ଅଲ୍ଲୀ ନୁରଙ୍କ ହାତରେ ସରକାର ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରି କାମ ଚଲାଇଛି। ଫଳରେ ବଣ ମଲ୍ଲୀ ବଣରେ ଝଡ଼ି ପଡିବା ଭଳି ଗ୍ରାମାଞ୍ଚଳର ଅନେକ କ୍ରୀଡ଼ା ପ୍ରତିଭା ଜିଲ୍ଲା ଓ ରାଜ୍ୟସ୍ତରକୁ ପହଞ୍ଚି ପାରୁ ନାହାନ୍ତି।

ରାୟଗଡ଼ା ଜିଲ୍ଲା ସଦର ମହକୁମା ସମେତ କୋଲନରା, ପଦ୍ମପୁର, କଲ୍ୟାଣସିଂହପୁର ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ଜାଗା ମିଳୁନି। ଗୁଡାରି, ରାମନାଗୁଡା, ମୁନିଗୁଡା, ଚନ୍ଦ୍ରପୁର, ବିଷମକଟକ, କାଶୀପୁରରେ ବିଳମ୍ବରେ ଜାଗା ଚିହ୍ନଟ ହେବା ପରେ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ଯୋଗାଇ ଦିଆଯାଇଛି। କିନ୍ତୁ କାମ ସରୁନି। କେଉଁଠି ପାଚେରୀ ନିର୍ମାଣ ଅଧାରେ ଅଟକିଛି ତ, କେଉଁଠି ପଡ଼ିଆ ସମୁତଲ କାମ ସରିନି। କିଛି ଜାଗାରେ ମାଟି କାଟି ଓସାରିଆ କରି ଛାଡ଼ି ଦିଆଯାଇଛି। ବ୍ଲକ୍ କର୍ତ୍ତୃପକ୍ଷ ଏହାର ନିର୍ମାଣ କାମ ହାତକୁ ନେଇଥିବା ସତ୍ତ୍ବେ ବର୍ଷ ବର୍ଷ ଧରି ୨୦ ଲକ୍ଷ ଟଙ୍କାର କାମକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବାରେ ସଫଳ ହୋଇପାରିନାହାନ୍ତି।

ବିଷମକଟକ ଓ ରାମନାଗୁଡା ବ୍ଲକରେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବିଭାଗୀୟ ରେକର୍ଡରୁ ଜଣାପଡିଛି। ହେଲେ ଷ୍ଟାଡିୟମର ବିକାଶ ପାଇଁ ଆହୁରି ଅନୁଦାନର ଆବଶ୍ୟକତା ରହିଛି, ଯାହା ମିଳିପାରୁନି। ରାୟଗଡ଼ା ସହର ଭିତରେ ଥିବା ଜିସିଡି ପଡିଆ ଜିଲ୍ଲାର କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ସାହା ଭରସା ପାଲଟିଥିବା ବେଳେ ଏହି ପଡିଆ ଜିଲ୍ଲା ଶିକ୍ଷା ବିଭାଗ ଅଧୀନରେ ରହିଛି। ଯେଉଁଥି ପାଇଁ ପଡିଆର ବିକାଶ ହୋଇପାରୁନି। ପଡିଆର ବିକାଶ ପାଇଁ କ୍ରୀଡ଼ା ବିଭାଗ ଶିକ୍ଷା ବିଭାଗକୁ ଏନ୍ଓସି ମାଗି ମାଗି ଥକିବା ଛଡ଼ା କୌଣସି ସୁଫଳ ମିଳିପାରୁନି।

ଅନ୍ୟପକ୍ଷରେ ସହରରୁ ୧୦ କିମି ଦୂରରେ ଜେକେପୁରରେ ଜିଲ୍ଲାସ୍ତରୀୟ ‌ଷ୍ଟାଡିୟମ୍ ନିର୍ମାଣ ନାଁରେ କେବଳ ସରକାରଙ୍କ ଅର୍ଥ ଶ୍ରାଦ୍ଧ ଚାଲିଛି। ଡମ୍ପିଂ ୟାର୍ଡରେ ତିଆରି ହୋଇଥିବା ଷ୍ଟାଡିୟମରେ ଇତି ମଧ୍ୟରେ ୪୧ ଲକ୍ଷ ଟଙ୍କା ସରିଲାଣି। ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ପାଚେରୀ ନିର୍ମାଣକୁ ଛାଡିଲେ ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ ପଡ଼ିଆରେ। ଏପରିସ୍ଥଳେ ପଡ଼ିଆର ବିକାଶ ପାଇଁ ବିଭାଗ ୨୦୨୦ ଫେବ୍ରୁଆରି ମାସରେ ୭୭ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛି। ଯାହା ଆଜି ସୁଦ୍ଧା ଅନୁମୋଦିତ ହୋଇପାରୁନି।

 

ସମ୍ବନ୍ଧିତ ଖବର