କିଶନନଗର: କିଶନନଗର ମିନି ଷ୍ଟାଡ଼ିୟମ୍‌ ନିର୍ମାଣକୁ ନେଇ ବିବାଦ ଘନେଇବାରେ ଲାଗିଛି। କ୍ରୀଡ଼ା ଭବନ ପାଇଁ ଜମି ମାଗି ସଦର ବ୍ଲକ୍‌ ପ୍ରଶାସନ ମିନି ଷ୍ଟାଡ଼ିୟମ୍‌ ନିର୍ମାଣ ପାଇଁ ଉଦ୍ୟମ କରୁଥିବା ଏବଂ ୨୫ ଡିସିମିଲ୍‌ ଜମିର କିସମ ପରିବର୍ତ୍ତନ କରି ୨ ଏକରରୁ ଅଧିକ ଗୋଚର ପଡ଼ିଆ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ୨୦୧୯ ସେ‌ପ୍ଟେମ୍ବର ୧୭ ତାରିଖରେ ସଦର ବିଡିଓ ରାଜୀବଲୋଚନ ପରିଡ଼ା କିଶନନଗର(କିଶେନନଗର) ମୌଜାର ୨.୨୩ ଏକର ଗୋଚର କିସମ ଜମି (ଖାତା ନମ୍ବର ୪୦୨; ୩୯ ନମ୍ବର ପ୍ଲଟ୍‌)ରୁ ୨୫ଡିସିମିଲ୍‌ ଜମି ସ୍ପୋର୍ଟସ୍‌ କମ୍ପ୍ଲେକ୍ସ (କ୍ରୀଡ଼ା ଭବନ) ପାଇଁ ଯୋଗାଇ ଦେବା ଲାଗି କିଶନନଗର ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ସେହିବର୍ଷ ନଭେମ୍ବର ୩୦ ତାରିଖରେ ସଦର ବିଧାୟକ କିଶନନଗର ଖେଳ ପଡ଼ିଆ ଓ କ୍ରୀଡ଼ା ଭବନର ଶିଳାନ୍ୟାସ କରିଥିଲେ। ୨୦୨୨ ଅକ୍ଟୋବର ୨୮ ତାରିଖରେ କଟକ ସଦର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିଶନନଗର ମିନି ଷ୍ଟାଡ଼ିୟମ୍‌ ପାଇଁ ଉକ୍ତ ପ୍ଲଟ୍‌ରୁ ୨୫ ଡେସିମିଲ୍‌ ଗୋଚର ଜମିର କିସମ ପରିବର୍ତ୍ତନ କରି ଯୋଗାଇ ଦେବା ପାଇଁ କିଶନନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ତେବେ ୨୫ ଡିସିମିଲ୍‌ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଚଞ୍ଚକତା କରି ଗୋଚର ପଡ଼ିଆ ସମ୍ପୂର୍ଣ୍ଣ ଦଖଲ ପାଇଁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଗୋ-ସୁରକ୍ଷା ସମିତିର ରାଜ୍ୟ ସମ୍ପାଦକ ଆଇନଜୀବୀ ସୁରେଶ କୁମାର ପଣ୍ଡା କଟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ବେଆଇନ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳଚନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତି ମାଧ୍ୟମରେ ଏହାକୁ ବେଆଇନ ବୋଲି ଦର୍ଶାଇବା ସହ ଗୋଚର ଜମିରେ ଲେ-ଆଉଟ୍‌ ଦେଇଥିବା ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ଓ ସଦର ବିଡିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ସଦର ବିଡିଓ ରାଜୀବଲୋଚନ ପରିଡ଼ା ଓ କିଶନନଗର ତହସିଲଦାର ମଧୁସୂଦନ ନାୟକଙ୍କ ଉପସ୍ଥିତିରେ କିଶୋରନଗର ମିନି ଷ୍ଟାଡ଼ିୟମ୍‌ ନିର୍ମାଣ ପାଇଁ ଲେ-ଆଉଟ୍‌ ଦିଆଯାଇଥିଲା। ଜମିର କିସମ ପରିବର୍ତ୍ତନ ହୋଇ ନ ଥିବା ଜାଣି ସୁଦ୍ଧା ଉଭୟ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ‘କ୍ରୀଡ଼ା ଭବନ’ ପାଇଁ ମଗା ଯାଇଥିବା ଜମି କେବେ ‘ମିନି ଷ୍ଟାଡ଼ିୟମ୍‌’ ହେଲା ଏବଂ ମାତ୍ର ୨୫ ଡିସିମିଲ୍‌ ଜମିରେ କିପରି ମିନି ଷ୍ଟାଡ଼ିୟମ୍‌ ନିର୍ମାଣ ହେବ ତା’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।