ଭୋଜିଖାଇ ଗାଁକୁ ଫେରିବା ବାଟରେ ଓଲଟିଲା ମିନିଟ୍ରକ, ୧୦ ଗୁରୁତର

ବିନିକା: କନ୍ୟାକୁ ଛାଡ଼ିଯାଇଥିବା ଲୋକେ ଭୋଜିଖାଇ ଗାଁକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ପିପିଲିପାଲି ଗାଁ ନିକଟରେ ମିନିଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସାନଟୀକା ଗାଁରୁ କନ୍ୟାପକ୍ଷ ଲୋକ ଡୁଙ୍ଗୁରିପାଲି ଥାନା କୁଡାଡେ଼ରା ଗାଁକୁ ଝିଅକୁ ଛାଡିବାକୁ ଆସିଥିଲେ I ସେମାନେ ଭୋଜିଖାଇ ସାରି ଏକ ମିନି ଟ୍ରକରେ ସାନଟୀକା ଗାଁକୁ ଫେରୁଥିବା ସମୟରେ ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ଏହା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମିନିଟ୍ରକ୍‌ (ଓଆର୧୭ ଏଫ୍‌-୪୮୩୯)ରେ ବସିଥିବା ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଂଚି ଥିଲା। ଉଭୟ ଗୁରୁତର ଏବଂ ଆହତ ହୋଇଥିବା ୨୦ଜଣ ବ୍ୟକ୍ତିଙ୍କୁ ଡୁଙ୍ଗୁରିପାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିI ଘଟଣାସ୍ଥଳରେ ପୁଲିସ ପହଂଚି ମିନିଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି I

ସମ୍ବନ୍ଧିତ ଖବର