ଖଣିଜ ଟ୍ରକ କବଜାରେ କୋଇଡା ଜୀବନ ରେଖା, ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ପରିସ୍ଥିତି

ସବୁ ଦିଗରୁ ରାସ୍ତା ଜାମ୍ ,ରାସ୍ତା ପାଲଟିଛି ପାର୍କିଂ

କୋଇଡା (ସୁନ୍ଦରଗଡ଼): ଖଣି ଖାଦାନ ଭରା କୋଇଡା ଅଂଚଳରେ ରାସ୍ତା ଜାମ କିଛି ନୂଆ କଥା ନୁହେଁ । ଏହି ଅଞ୍ଚଳର ରାଜରାସ୍ତାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ରାସ୍ତା ଜାମ ସମସ୍ୟା ସମନାକୁ ଆସିଥାଏ । ଏମିତିକି ଅତୀତରେ ରାସ୍ତା ଜାମ୍‌ରେ ରୋଗୀଙ୍କ ମୃତ୍ୟବରଣ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଫେରିଯିବା ଘଟଣା ଇତିହାସ ଏହାର ମୂକସାକ୍ଷୀ । କୋଇଡାବାସୀ ଯେମିତି ଅଘୋଷିତ କର୍ଫ୍ୟୁ ଲାଗିଲା ପରି ଦୈନଦିନ ଜୀବନ ଅତିବାହିତ କରୁଛନ୍ତି । ରାତି ପାହିଲେ ଖଣିଜ ପରିବହନ ପାଇଁ ରାଜ୍ୟ ଏବଂ ଜିଲ୍ଲା ବାହାରୁ ଛୁଟି ଆସନ୍ତି ହଜାର ହଜାର ମାଲବାହୀ ଟ୍ରକ । ଏପଟେ ବହୁ ଖଣି ବନ୍ଦ ହେବା ଫଳରେ ଯେଉଁ ଖଣି ଚାଲିଛି ସେଥିରୁ ଖଣିଜ ପରିବହନ ପାଇଁ ଟ୍ରକ ଟିପର ରାସ୍ତା ପାର୍କିଙ୍ଗ କରି ରାସ୍ତାରେ ଭୟଙ୍କର ଜାମ ସୃଷ୍ଟି କରୁଛନ୍ତି । ହଜାର ହଜାର ଲୌହ ପଥର ବୋଝେଇ ଟ୍ରକ ସମେତ ଚାରିଚକିଆ, ବାଇକ, ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛି । ରାସ୍ତାରେ ପାର୍କିଙ୍ଗ, ଭୁଲ୍ ପାର୍ଶ୍ଵରେ ସହିତ ଡବଲ ଲାଇନ ପାର୍କିଙ୍ଗ ଓ ତା ସାଙ୍ଗକୁ ଶହ ଶହ ଟ୍ରକ ତେଲ ଟାଙ୍କିରେ ତେଲ ଭରିବା ପାଇଁ ଲମ୍ବା ଲାଇନ୍ ଜାମର ମୁଖ୍ୟ କାରଣ ପାଲଟିଛି । ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଘଟଣା ସ୍ଥଳରେ ପହଞ୍ଚି ବହୁଥର ଜାମ ହଟେଇବା ପାଇଁ ଭରପୂର ଚେଷ୍ଟା ଜାରି ରଖୁଥିଲେ ହେଁ କିଛି ଫାଇଦା ମିଳୁନାହିଁ।

ଗୋଟିଏ ପଟେ କୋଇଡା- କାଲଟା ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ଅନେକ ଗାଡି କୋଇଡା- ଟେନସା – କଲେଇପୋଷ ରାସ୍ତା ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ପାରାଦ୍ଵୀପ , ଗୋପାଳପୁର ଓ ଭାଇଜାଗ ଓ ରାୟପୁରକୁ ବହୁ ମାତ୍ରାରେ ଲୌହ ପରିବହନ ହେଉଥୁବାରୁ ସବୁ ଗାଡି ଭଦ୍ରାସାହି ବିଲେଇପଦା – କେନ୍ଦୁଝର ଯିବାକୁ ଥିବାବେଳେ ରାସ୍ତା ଜାମ ଓ ଟୋଲ ବଞ୍ଚାଇବ ପାଇଁ ଟ୍ରକଗୁଡିକ କୋଇଡା- ଟେନସା ରାସ୍ତାକୁ ଆପଣାଇଛନ୍ତି ।

ହେଲେ ଘାଟି ରାସ୍ତା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଗାଡ଼ି ଘାଟି ଚଢି ନପାରି ସବୁବେଳେ ବ୍ରେକଡାଉନ୍ ହେଉ ଅଛି ଓ ଫଳସ୍ଵରୂପ ଲାଗୁଛି ଭୟଙ୍କର ଜାମ । ତଥାପି ସବୁ ବିଭାଗ ଚୁପ୍ ! ପ୍ରତ୍ୟେକ ଦିନ କୋଇଡାରୁ ରାଜଧାନୀ ପାଇଁ ଚାଲୁଥିବା ରାତ୍ରୀ ବସ୍ ସକାଳୁ ପହଞ୍ଚିବା ପରିବର୍ତ୍ତେ ଅପରାହ୍ନରେ ପହଞ୍ଚୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ରାସ୍ତାର ଜାମ ସମସ୍ୟା ଦୂର ନକଲେ ପୁନର୍ବାର ଆମ୍ବୁଲାନ୍ସ ଅଟକି ରହି ଅତୀତର ରୋଗୀ ମୃତ୍ୟୁ ଘଟଣା ପୁନରବୃତ୍ତି ହେବା ସହ ସ୍ଥିତି ଅସମ୍ଭାଳ ହେବ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର