ସୋନପୁର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଏବଂ ସିବିଆଇ ତଦନ୍ତ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏପରିକି ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଥିଲା।
ସୋନପୁରରେ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା। ବନ୍ଦ ଫଳରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, କୋର୍ଟ, ବ୍ୟାଙ୍କ, ଦୋକାନ, ବଜାର, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିଜେପି କର୍ମାମାନେ ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ପିକେଟିଂ କରି ବନ୍ଦ କରିଥିଲେ। ଏଥିରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବଳଦେବ ବେଦବାକ, ସୋନପୁର ନଗରମଣ୍ଡଳ ସଭାପତି ଜଗଜ୍ୟୋତି ତ୍ରିପାଠୀ, ସଂପାଦକ ପ୍ରଫୁଲ୍ଲ ସାହୁ, ସୁକାନ୍ତ ସାହୁ, ସୁରୁବାବୁ ସାହୁ, ତ୍ରିଲୋଚନ ତରିଆ, ଅନନ୍ତ ପାଣିଗ୍ରାହୀ, ଗଙ୍ଗା ତରିଆ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ହୋତା, ସୁନିତା ଗିରି, ସୁଦେଷ୍ଣା ନେଗୀ ପ୍ରମୁଖ ସାମିଲ ଥିଲେ। ଏହି ବନ୍ଦକୁ କେଶରୀୟା ବିନ୍ଦୁ ବାହିନୀ ମଧ୍ୟ ସମର୍ଥନ କରିଥିଲା। କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ବ୍ୟାସଦେବ ମିଶ୍ର, ବାପି ଦାଶ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଜିଲ୍ଲାର ବିନିକା, ଉଲୁଣ୍ଡା, ତରଭା, ଡୁଙ୍ଗୁରିପାଲିରେ ମଧ୍ୟ ବନ୍ଦ ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି।