ମଧ୍ୟାହ୍ନ ଭୋଜନର ମାନକୁ ନେଇ ବିଗିଡିଲେ ଗଣଶିକ୍ଷା ମନ୍ତ୍ରୀ 

କୋରାପୁଟ: ଛାତ୍ରଛାତ୍ରୀଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଠିକ ନାହିଁ। ଉଣା ଲାଗୁଛି। ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହା ସ୍ୱୀକାର  କରିଛନ୍ତି। ଆଜି ପୂଜାରିପୁଟ ସ୍ଥିତ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟକୁ ଯାଇ  ମଧ୍ୟାହ୍ନ ଭୋଜନ  ଖାଇବା ପରେ ସେ ବିରକ୍ତି ପ୍ରକାଶ କରିବା ସହ ଖାଦ୍ୟ ନିର୍ମାଣକାରୀ ସଂସ୍ଥା ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ଆଜି କୋରାପୁଟ‌ରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟାହ୍ନ ଭୋଜନ ନେଇ ଜିଲ୍ଲାର ଲୋକ ପ୍ରତିନିଧିମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ  ଜିଲ୍ଲାର ସହରାଞ୍ଚଳ ସମେତ ଅନ୍ୟ କେତେକ ବିଦ୍ୟାଳୟରେ  କେନ୍ଦ୍ରୀୟ ରୋଷଶାଳାରେ ପ୍ରସ୍ତୁତ ଖାଦ୍ୟ   ଦିଆ ଯାଉଥିବାବେଳେ  ଉକ୍ତ ଖାଦ୍ୟର ମାନକୁ ନେଇ କୋଟପାଡ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜୟପୁର ବିଧାୟକ ବାହିନୀପତି  ଘୋର ଅସନ୍ତୋଷ ବ୍ୟକ୍ତ  କରିଥିଲେ। ରାଜ୍ୟ ସରକାର ଏକ ସଂସ୍ଥାକୁ କୋରାପୁଟ ଜିଲାର ୪ଟି ପୌରାଂଚଳ ସମେତ ଅନ୍ୟ କିଛି ସ୍କୁଲକୁ  ମଧ୍ୟାହ୍ନ ଭୋଜନ ଯୋଗାଇବାକୁ  ଦାୟିତ୍ୱ ଦେଇଛନ୍ତି। ଉକ୍ତ ସଂସ୍ଥା ଜୟପୁରରେ  ଖାଦ୍ୟ ପ୍ରସ୍ତୁତ କରି  ବିଭିନ୍ନ  ସ୍କୁଲକୁ ଦେଉଛି। କିନ୍ତୁ  ସମ୍ପୃକ୍ତ ସଂସ୍ଥା ଦେଉଥିବା ଖାଦ୍ୟ  ଅତି ନିମ୍ନ ମାନର ଥିବାରୁ ଛାତ୍ରଛାତ୍ରୀ ତାହା ଖାଉନଥିବା ମନ୍ତ୍ରୀ ଓ ବିଧାୟକ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ। ମନ୍ତ୍ରୀ ଏ ଦିଗରେ  ପଦକ୍ଷେପ ନେବେ ବୋଲି କହିଥିଲେ ।

ସମୀକ୍ଷା ବୈଠକ ପରେ  ମନ୍ତ୍ରୀ ଶ୍ରୀ ଦାଶ  କୋରାପୁଟ ପୌର ପରିଷଦର ପୂଜାରିପୁଟ ବିଦ୍ୟାଳୟକୁ ଯାଇ  ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ପରେ ସେ ବିରକ୍ତ ପ୍ରକାଶ କରିବା ସହ ଏହାର ମାନ ଠିକ ନାହିଁ ବୋଲି କହିଥିଲେ। ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ସଂସ୍ଥାକୁ ନୋଟିସ କରାଯିବା ସହ ଖାଦ୍ୟର ମାନ ଠିକ କରିବାକୁ ତାଗିଦ କରାଯିବ। ସେ ଭୁବନେଶ୍ୱର ଫେରିବା ପରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରି ଏ ଦିଗରେ ବିହିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର