ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ପୀଠର ଉନ୍ନତୀକରଣ କରାଯିବ। ଦୁର୍ବଳ କାନ୍ଥ ଭାଙ୍ଗିଯିବାର ଆଶଙ୍କା ଥିବାରୁ ଏହାକୁ ମରାମତି କରାଯିବ। ମୁଖଶାଳା, ରୋଷଶାଳା ଓ ଭକ୍ତ-ବିଶ୍ରାମକକ୍ଷର ଛାତରୁ ବର୍ଷା ପାଣି ଗଳୁଥିବାରୁ ପୁରୁଣା ଛାତ ଭାଙ୍ଗି ନୂଆ କରାଯିବ। ଛାତ ଆଗକୁ ଆହୁରି ପ୍ରସାରିତ ହେବ। ପ୍ରାଚୀନ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖି ନବୀକରଣ ତଥା ଉନ୍ନତୀକରଣ ନେଇ ଗୁରୁତ୍ବ ଦଆଯିବ। ଏଥିପାଇଁ ଡିପିଆର୍ (ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ) ତଥା ବ୍ୟୟ ଅଟକଳ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମାଉସୀ ମା’ ମନ୍ଦିରରେ ମା’ ଅର୍ଦ୍ଧାଶିନୀଙ୍କ ଦର୍ଶନ କରିବା ପରେ ସ୍ଥିତି ପରଖି ଏହି ପ୍ରାଚୀନ ମନ୍ଦିରର ଉନ୍ନତୀକରଣ ପାଇଁ ଆଶା ଦେଖାଇଛନ୍ତି। ଆସନ୍ତା ୧୪ ତାରିଖରେ ବିଭିନ୍ନ ପ୍ରତ୍ନତତ୍ତ୍ବ ତଥା ସ୍ମାରକୀ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏକ ବୈଷୟିକ ଟିମ୍ ଆଣି ଆବଶ୍ୟକତା ପରଖିବା ଲାଗି ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ବିନୀ ଶତପଥୀଙ୍କୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ମାଉସୀ ମା’ ମନ୍ଦିର ମହାପ୍ରଭୁଙ୍କ ଲୀଳାପୀଠର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପୀଠ। ବିରାଟ କିମ୍ବଦନ୍ତୀ ହୋଇଥିବା ବେଳେ ସ୍ବୟଂ ମହାପ୍ରଭୁ ଏଠାରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯାଆନ୍ତି। ତେଣୁ ଏହାର ଉନ୍ନତୀକରଣକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି। ଆସନ୍ତା ୧୪ ତାରିଖରେ ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର ସଂକ୍ରାନ୍ତ ବୈଠକ ପୂର୍ବରୁ ଡିପିଆର୍ ପ୍ରସ୍ତୁତ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
ଡିପିଆର୍ ପ୍ରସ୍ତୁତ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ବ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
୧୪ ତାରିଖ ପୂର୍ବରୁ ପ୍ରତ୍ନତତ୍ତ୍ବ ଯନ୍ତ୍ରୀ ପରଖିବେ ସ୍ଥିତି
ପ୍ରାଚୀନ କାଳରୁ ବଡ଼ଦାଣ୍ଡରେ ଥିବା ମାଉସୀମା ମନ୍ଦିରର ଶ୍ରୀଜଗନ୍ନାଥ ମନ୍ଦିର ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ବହୁ ପୁରାତନ କୀର୍ତ୍ତିରାଜି ହୋଇଥିବା ସତ୍ତ୍ବେ ନା ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା) ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି ନା ରାଜ୍ୟ ପ୍ରତ୍ନତତ୍ତ୍ବ ଦପ୍ତର ଏହାକୁ ନିଜ ଅଧୀନକୁ ନେଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଏଠାରେ ପୋଡ଼ପିଠା ପ୍ରସ୍ତୁତି ଲାଗି ଅର୍ଥ ଯୋଗାଇ ଦିଆଯାଉଛି। କିନ୍ତୁ ଏହାର ଉନ୍ନତୀକରଣ ଦିଗରେ କୌଣସି ପ୍ରଶାସକ ଆନ୍ତରିକତା ଦେଖାଇ ନାହାନ୍ତି। ଫଳରେ ଶ୍ରୀମନ୍ଦିର ସହ ଜଡ଼ିତ ଏହି ପ୍ରାଚୀନ ମନ୍ଦିରର କାନ୍ଥ ଓ ଛାତ ଦୁର୍ବଳ ହୋଇଗଲାଣି। ମୁଖଶାଳାର ଛାତ ପୁରୁଣାକାଳିଆ ହୋଇଥିବାରୁ ଭିତରପଟକୁ ପେଟେଇଗଲାଣି। ରୋଷଘରଟି ଅତ୍ୟନ୍ତ ସଙ୍କୁଚିତ ହୋଇଥିବାରୁ ଏହାର ସଂପ୍ରସାରଣ ଜରୁରି ହୋଇ ପଡ଼ିଛି। ବର୍ଷା ହେଲେ ବିଶ୍ରାମକକ୍ଷର ଫାଟି ଯାଇଥିବା ଛାତରୁ ପାଣି ଗଳି ଘର ଭିତରେ ଭାସୁଛି।
ମାଉସୀମା ମନ୍ଦିରର ପୂଜକ ବିଶ୍ବନାଥ ମିଶ୍ର କହିଛନ୍ତି, ମନ୍ଦିରକୁ ସେ ନିଜ ସାଧ୍ୟ ମୁତାବକ ମରାମତି କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ସହଯୋଗ ବିନା ଏହାର ଉନ୍ନତୀକରଣ ସମ୍ଭବ ନୁହେଁ। ମନ୍ଦିରଟି ମାତ୍ର ଦେଢ଼ ଡିସିମିଲ ଜାଗାରେ ରହିଛି। ଭକ୍ତମାନେ ମନ୍ଦିରକୁ ଆସିଲେ ବସିବା ପାଇଁ ସୁବିଧା ନାହିଁ। ରୋଷଘର ସଙ୍କୁଚିତ ଜାଗାରେ ରହିଛି। ଏଠାରେ କେବଳ ପୋଡ଼ ପିଠା ପ୍ରସ୍ତୁତ ହେଉନାହିଁ, ବରଂ ମାଜଣା ଓ ମାନସିକଧାରୀ ମଧ୍ୟ ଏହା ମଧ୍ୟରେ ପ୍ରସାଦ ରୋଷେଇ କରି ଆସୁଛନ୍ତି। ତେଣୁ ସରକାର ଜମି ଅଧିଗ୍ରହଣ କରି ଏହାର ପରିସରର ଉନ୍ନତୀକରଣ କରିବା ଉଚିତ। ଏ ବାବଦରେ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅଶ୍ବିନୀ ଶତପଥୀ କହିଛନ୍ତି, ମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ନତତ୍ତ୍ବ ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଏକ ଟିମ୍ ସ୍ଥିତି ପରଖିବେ। ଉନ୍ନତୀକରଣ ନେଇ ବ୍ୟୟ ଅଟକଳ କରାଯାଇ ୧୪ ତାରିଖ ପୂର୍ବରୁ ମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଯିବ ବୋଲି ସେ କହିଛନ୍ତି।