ମାଓଗଡ଼ରେ ମନ୍ତ୍ରୀ, ବିକାଶ ସ୍ଥିତି ପରଖିଲେ

୩ କିମି ଚାଲି ପହଞ୍ଚିଲେ, ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ

ରାୟଗଡ଼ା : କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିକାଶ ସ୍ଥିତି ପରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ଗସ୍ତ କରିଥିବା ଗାଁ ଗୁଡ଼ିକୁ ନିତିଦିନିଆ ରାସ୍ତା ନଥିବାରୁ ମନ୍ତ୍ରୀ ୩ କିମି ଚାଲି ଚାଲି ଯାଇଥିଲେ। ଲୋକଙ୍କ ସହ ଆଲୋଚନା ପରେ ଲାଗି ରହିଥିବା ସମସ୍ୟା ଦୂର ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ।

ସ୍ବାଧୀନତାର ୬ ଦଶନ୍ଧି ପରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ ଚକ୍ରକଲାଙ୍ଗ ଓ ବେତଳାଙ୍ଗ ଗ୍ରାମବାସୀ। ଯୋଗାଯୋଗ, ବିଦ୍ୟୁତ୍, ପାନୀୟ ଜଳ ସମସ୍ୟାଠୁ ଆରମ୍ଭ କରି ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ। ବିକାଶକୁ ତ୍ବରାନିତ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ନେହୁରା ହେବା ପରେ ଶେଷରେ ସମସ୍ୟାର ସମାଧାନ ପାଇଁ ଗ୍ରାମରେ ପହଞ୍ଚିଛନ୍ତି ମନ୍ତ୍ରୀ।

୩ କିମି ଚାଲି ଚାଲି ମନ୍ତ୍ରୀ ଚକ୍ରକଲାଙ୍ଗ ଗ୍ରାମରେ ପହଞ୍ଚିବା ପରେ ବସବାସ କରୁଥିବା ଲୋକଙ୍କ ବିଭିନ୍ନ  ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଗ୍ରାମରେ ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଆବାସ ଯୋଜନା, ବାର୍ଧକ୍ୟ ଓ ବିଧବା ଭତ୍ତା, ବିପିଏଲ ଚାଉଳ ଠିକ୍ ଭାବେ ଗ୍ରାମବାସୀ ପାଉନଥିବାରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ସହ ପର୍ଯ୍ୟାୟକ୍ରମେ ଅନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ମନ୍ତ୍ରୀ ଶ୍ରୀ ସାରକା ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚକ୍ରକଲାଙ୍ଗ ପରେ ମନ୍ତ୍ରୀ ଦୁର୍ଗମ  ବେତଲାଙ୍ଗ ଗ୍ରାମକୁ ଗସ୍ତ କରିଥିଲେ। ଗ୍ରାମରେ ପହଞ୍ଚି ଲାଗି ରହିଥିବା ସମସ୍ୟା ସଂପର୍କରେ ଆଲୋଚନା  କରିଥିଲେ।  ବହୁ ଦାବି ପରେ ମଧ୍ୟ ସରକାରୀ ସୁବିଧା ସୁଯୋଗ ଗ୍ରାମରେ ପହଞ୍ଚି ପାରିନଥିବାରୁ ଗ୍ରାମବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନା ପରେ ଲାଗି ରହିଥିବା ସମସ୍ୟା ଦୂର ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଉଭୟ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, କଲ୍ୟାଣସିଂହପୁର ବ୍ଲକ ମାଓ ପ୍ରଭାବିତ ଅଞ୍ଚଳ‌ ହୋଇଥିବାରୁ ଅଧିକାଂଶ ଅଞ୍ଚଳରେ ବିକାଶ ବାଧାପ୍ରାପ୍ତ ହୋଇଛି। କଳାହାଣ୍ଡି ସୀମାନ୍ତକୁ କଲ୍ୟାଣସିଂହପୁର ବ୍ଲକ୍ ଲାଗିଥିବାରୁ ମାଓବାଦୀଙ୍କ ଗତିବିଧି ଏହି ଅଞ୍ଚ‌ଳରେ ରହିଛି। ବିକାଶକୁ ତ୍ବରାନିତ କରିବା ପାଇଁ ଗତ କିଛି ମାସ ତଳେ ବ୍ଲକ୍ ସୀମାନ୍ତ କଳାହାଣ୍ଡିର ତ୍ରିଲୋଚନପୁରରରେ ସରକାର ସିଆରପିଏଫ୍ ଯବାନଙ୍କୁ ମୁତୟନ କରିଛନ୍ତି। ମାଓବାଦୀଙ୍କ ସହିଦ୍ ସପ୍ତାହ ପୂର୍ବରୁ ମାଓବାଦୀ ବ୍ୟାନର ଲଗାଇ ନିଜ ଉପସ୍ଥିତ ଜାହିର୍ କରିଥିଲେ। କିଛି ଲୋକଙ୍କୁ ଟାର୍ଗେଟ୍ କରି ପ୍ରଜାକୋର୍ଟରେ ଦଣ୍ଡିତ କରିବା ପାଇଁ ଚେତାବନୀ ଦେଇଥିଲେ। ଫଳରେ ଗତ କିଛି ଦିନ ତଳେ ରାଜ୍ୟ ପୁଲିସ୍ ମହାନିର୍ଦେଶକ ଅଭୟ ତ୍ରିଲୋଚନପୁର ସିଆରପିଏଫ୍ କ୍ୟାମ୍ପ ପରିଦର୍ଶନ କରି ଯବାନଙ୍କ ସହ ଆଲୋଚନା କରିବା ମାଓ ମୁକାବିଲାର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର