‘ସ୍ପିରୁଲିନାଯୁକ୍ତ ଚିକି’ ପ୍ରସ୍ତୁତି ୟୁନିଟକୁ ଉଦଘାଟନ କଲେ ମନ୍ତ୍ରୀ 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରସ୍ତୁତ କରାଯିବ ସ୍ପିରୁଲିନାଯୁକ୍ତ ଚିକି। ସଦର ବ୍ଲକ୍ ଅନ୍ତର୍ଗତ ରଙ୍ଗାଢ଼ିପାଠାରେ ଏଥିପାଇଁ ଏକ ଚିକି ପ୍ରସ୍ତୁତି ୟୁନିଟର ଶୁଭାରମ୍ଭ କରାଯାଇଛି। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ସୁନ୍ଦରଗଡ଼ ପହଞ୍ଚିଥିବା ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଶନିବାର ଏହାର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ମିକ୍ସ ସହିତ ସ୍ପିରୁଲିନା ଚିନି ଓ ଚିକି ବଣ୍ଟନ କରାଯାଉଛି। ୨୦୨୦ ଅଗଷ୍ଟ ୧୫ ତାରିଖରେ ଏହି ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜିଲ୍ଲାରୁ ଉତ୍ପାଦିତ ମାଣ୍ଡିଆରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆ ଲଡ଼ୁ ଲାଗି ମିକ୍ସ ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ବାହାରୁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ପିରୁଲିନା ମିଶ୍ରିତ ଚିକି ଓ ଚିନି ଅଣାଯାଉଛି। ଏବେ ସୁନ୍ଦରଗଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚିକି ପ୍ରସ୍ତୁତ କରାଯିବ।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ର ରଙ୍ଗାଢ଼ିପାଠାରେ ପ୍ରସ୍ତୁତ ହେବାକୁ ଥିବା ଚିକି ସୁନ୍ଦରଗଡ଼ ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯିବ। ମନ୍ତ୍ରୀ ଡକ୍ଟର ସାହୁ ଚିକି ପ୍ରସ୍ତୁତି ୟୁନିଟ୍ ଉଦଘାଟନ କରିବା ପରେ ସେଠାରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାରେ ଚାଲିଥିବା ଏହି ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମର ଅଗ୍ରଗତି ସହ ଶିଶୁଙ୍କ ପୁଷ୍ଟି ସାଧନରେ ସ୍ପିରୁଲିନା କିଭଳି ଉପକାରୀ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ମନ୍ତ୍ରୀ ଡକ୍ଟର ସାହୁ କହିଥିଲେ ‘‘ବିଶେଷ ପୋଷଣ ଗୁଣ ପାଇଁ ସାରା ବିଶ୍ୱରେ ଆଜି ସ୍ପିରୁଲିନାର ବ୍ୟବହାର ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଏହାକୁ ପ୍ରୟୋଗ କରି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ତା’ ସାଙ୍ଗକୁ ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯିବା ଫଳରେ ମହିଳା ସଶକ୍ତୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ପରିକଳ୍ପନା ତାହା ବାସ୍ତବ ରୂପ ନେଇପାରିଛି’’। ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେବେ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ୟୁନିଟ୍ ଉଦଘାଟନ ବେଳେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ, ଡିଏମଏଫ୍ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର