ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଦୁଇ ମନ୍ତ୍ରୀ; ମିନି ଷ୍ଟାଡିୟମ୍ ଶିଳାନ୍ୟାସ; କ୍ରୀଡ଼ା ଭିତ୍ତିଭୂମି ସମୀକ୍ଷା

କେନ୍ଦ୍ରାପଡ଼ା: ଦୁଇ ଦିନିଆ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ପ୍ରଥମ ଦିନରେ ଆଜି ଦୁଇ ମନ୍ତ୍ରୀ ନିଜ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି।
ପ୍ରଥମେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚି ପ୍ରଭୁ ବଳଦେବଜିଉଙ୍କୁ ଦର୍ଶନ କରିବା ପରେ ଜଂଟିଲୋ ଜଳସେଚନ ଡାକବଙ୍ଗଳା ଯାଇଥିଲେ। ସେଠାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷ କରି ମିନି ଷ୍ଟାଡିୟମ ନିର୍ମାଣରେ ଅଗ୍ରଗତି, ନିର୍ମାଣାଧୀନ ଥିବା ଷ୍ଟାଡିୟମ ଗୁଡିକର ଜମି ସମସ୍ୟା ସମାଧାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ


ଏହାପରେ ସେ ଅପରାହ୍ନରେ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ପଟ୍ଟାମୁଣ୍ତାଇ ପୈାରାଚଂଳ ଅଧୀନ କଷଣଅଂଟା ଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳର ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦ୍ବୟଙ୍କ ସହ ରାଜନଗର ବିଧାୟକ ଶ୍ରୀ ସାହୁ, ଦଶପଲ୍ଲା ବିଧାୟକ ଶ୍ରୀ ବେହେରାଙ୍କ ସମେତ ଜିଲ୍ଲା ବିଜେଡିର ସାଂଗଠନିକ ପଦାଧିକାରୀ ଓ କର୍ମକର୍ତା ଉପସ୍ଥିତ ଥିଲେ। ଆସନ୍ତାକାଲି ମନ୍ତ୍ରୀ ଦ୍ବୟ ଭିତରକନିକା ଓ ଡାଙ୍ଗମାଳ ବୁଲି ଦେଖିବା ସହ ରାଜନଗର ନିର୍ବାଚନ ମଣ୍ତଳୀର କ୍ରୀଡା ଭିତ୍ତିଭୂମିର ଉନ୍ନୟନ ଓ ଜଳସମ୍ପଦ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ରାଜନଗର ଡାକବଙ୍ଗଳାରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର