ଚର୍ଚ୍ଚାରେ ମନ୍ତ୍ରୀ ଜଗନ୍ନାଥ ସାରକା, ୨୦୧୯ ଟିକେଟ୍ ଘୋଷଣାଠୁ ମନ୍ତ୍ରୀ ଦାୟିତ୍ବ ଗ୍ରହଣ

ରାଷ୍ଟ୍ରମନ୍ତ୍ରୀରୁ ପଦୋନ୍ନତି, ନବୀନଙ୍କ କ୍ୟାବିନେଟରେ ସାମିଲ୍, ଏସସି/ଏସଟି ବିଭାଗ ସହ ମିଳିଲା ଆଇନ ସେବା ବିଭାଗ

ରାୟଗଡ଼ା: ୨୦୧୯ ନିର୍ବାଚନ ଟିକେଟ୍ ଘୋଷଣାଠୁ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଶପଥ ଗ୍ରହଣ ଉତ୍ସବ ସବୁଠି ଜଗନ୍ନାଥ ସାରକାଙ୍କ ନାମକୁ ପ୍ରାଧ୍ୟାନ୍ୟ ଦେଇଛି ବିଜେଡ଼ି। ଏପରିକି ନୂତନ ମନ୍ତ୍ରୀ ମଣ୍ଡଳର ଚୂଡ଼ାନ୍ତ ତାଲିକାରେ କ୍ରମିକ ନଂ ବଦଳରେ ସର୍ବାଗ୍ରେ ଜଗନ୍ନାଥ ସାରକାଙ୍କ ନାମ ଏବଂ ପରେ ଅନ୍ୟ ୧୨ କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଭାବାବେଗ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍ ଜଡ଼ିତ ହୋଇଥିବାରୁ ଜଗନ୍ନାଥଙ୍କ ନାଁକୁ ସମସ୍ତ କାର୍ଯ୍ୟକ୍ରମରେ ଆଗରେ ରଖିଥିବା ନେଇ ଚର୍ଚ୍ଚା ହେଉଛି।

ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଜଗନ୍ନାଥ ସାରକା। ଅଫିସରଙ୍କଠୁ ଆରମ୍ଭ କରି ନେତା। ବୁଦ୍ଧିଜୀବୀ, ନିର୍ବାଚନମଣ୍ଡଳୀ କର୍ମୀ, ଗ୍ରାମବାସୀ ଏପରିକି ଗାଡ଼ି ଡ୍ରାଇଭର ପର୍ୟ୍ୟନ୍ତ ସଭିଁଏ ତାଙ୍କ ପାଇଁ ସମାନ୍। କାହାକୁ ଲୋଲୁପ ଦୃଷ୍ଟିରେ ଦେଖିବା ତ ଦୂରର କଥା କାହା ସହ ଉଚ୍ଚସ୍ବରରେ କଥା ହୋଇନାହାନ୍ତି। ବିଧାୟକ ଥିବା ସମୟରେ ଯେମିତି ସାଧାରଣ ଜୀବନଯାପନ ମନ୍ତ୍ରୀ ହେବା ପରେ ମଧ୍ୟ ସେମିତି। ଯାହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଶ୍ ପ୍ରଭାବିତ କରିଛି। ୨୦୧୪ ନିର୍ବାଚନରେ ପ୍ରଥମେ ଶ୍ରୀ ସାରକା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳୀରେ ଅନୂସୂଚିତ ଜାତି ଓ ଜନଜାତି ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ।

ରାଷ୍ଟ୍ର ମନ୍ତ୍ରୀ ଭାବେ ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିର୍ବିବାଦୀୟ, ଦୁର୍ନୀତିମୁକ୍ତ, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ଜଗନ୍ନାଥ ନବୀନଙ୍କ ଗୁଡ୍ ବୁକରେ ରହିଛନ୍ତି। ଯେଉଁଥି ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବର ପଞ୍ଚମ ପାଳି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣରେ ଜଗନ୍ନାଥ ରାଷ୍ଟ୍ରମନ୍ତ୍ରୀରୁ ପଦୋନ୍ନତି ପାଇଁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ସାରକାଙ୍କୁ ପୁରୁଣା ବିଭାଗ (ଏସସି/ଏସଟି) ସହ ଆଇନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ସାରକାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏପରି ଭରସା ଅନ୍ୟ ମନ୍ତ୍ରୀ ଓ ରାଜନେତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି। ବିଶେଷ କରି ନବୀନଙ୍କ କ୍ୟାବିନେଟରେ ଜଗନ୍ନାଥ ସ୍ଥାନ ପାଇବା ପରେ ରାୟଗଡ଼ା ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି। ଚାଷୀ ପରିବାରର ରାଜନୀତିକୁ ଆସିଥିବା ଜଗନ୍ନାଥଙ୍କ ସରଳ ଜୀବନଯାପନକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଭାବିତ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ବିଷମକଟକ ବ୍ଲକର ଦୁର୍ଗମ ଗ୍ରାମ ଝିଗିଡିରେ ଜନ୍ମିତ ଜଗନ୍ନାଥଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ପିଲାଟୁ ଦିନରୁ ଅଭାବ, ଅସୁବିଧା ଲାଗି ରହିଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ସବୁ କ୍ଷେତ୍ରରେ ସେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ପାଠପଢ଼ାଠୁ ଆରମ୍ଭ କରି ଚାଷ କାର୍ଯ୍ୟ ଏବଂ କଲେଜ ସମୟରେ ଗାଁ ରାଜନୀତିରେ ଜଗନ୍ନାଥଙ୍କ ସକ୍ରିୟ ଭୂମିକା ଜିଲ୍ଲା ରାଜନୀତିରେ ତାଙ୍କ ପତିଆରାକୁ ବୃଦ୍ଧି କରିଥିଲା। ୧୯୯୭ ପଞ୍ଚାୟତ ନିର୍ବାଚନରେ ଝିଗିଡ଼ି ପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟୀ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଆଦିବାସୀ ନେତା ଜଗନ୍ନାଥ ସାରକା।

୨୦୦୨ରେ ଝିଗିଡି ସରପଞ୍ଚ, ୨୦୦୭ ପଞ୍ଚାୟତ ନିର୍ବାଚନରେ ବିଷମକଟକ (କ) ଜୋନରୁ ବିଜେଡ଼ି ଟିକେଟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଜିଲ୍ଲା ପରିଷଦ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିଷମକଟକ ଆସନରୁ ବିଜେଡ଼ିର ବିଧାୟକ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ଭେଟରାନ୍ ଲିଡର୍ ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ି ମାତ୍ର ୩୪୯ ଭୋଟରେ ପରାଜିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚରେ ଜଗନ୍ନାଥ ୭୨୩୬୬ ଭୋଟ ପାଇ ରେକର୍ଡ ୨୯୧୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କ ବିରୁଦ୍ଧରେ ଲଢ଼ି ୧୩୪୮୭ ‌ଭୋଟ ବ୍ୟବଧାନରେ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ ଜଗନ୍ନାଥ। ଜଗନ୍ନାଥଙ୍କ ପୂର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାୟଗଡ଼ା ଜିଲ୍ଲାରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏସସି/ଏସଟି ବିଭାଗର ଦାୟିତ୍ବ ତୁଲାଇଛନ୍ତି ରାୟଗଡ଼ାର ପୂର୍ବତନ ବିଧାୟକ ଲାଲ୍ ବିହାରୀ ହିମିରିକା।

ସମ୍ବନ୍ଧିତ ଖବର