ଜୟପୁର: ଗାଁ ଲୋକଙ୍କୁ ମିଳିଲେ ନୂଆ ନେତା। କିନ୍ତୁ କୋରାପୁଟ ଜିଲ୍ଲାରେ ଭୋଟର ଭିନ୍ନ ସଂକେତ ଦେଇଛନ୍ତି। ଯାହା ଏବେ ଉଭୟ ବିଜେଡି ଓ କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଛି। କେଉଁଠି ବିଜେଡି ଗଡ଼ ରକ୍ଷା କରିବାରେ ସଫଳ ହୋଇଥିବା ବେଳେ କେଉଁଠି ନିଜ ଗଡ଼କୁ ହରାଇଛି କଂଗ୍ରେସ। ତଥାପି ଦୁଇ ଦଳ ମଧ୍ୟରେ ହୋଇଥିବା ଜୋରଦାର ଲଢ଼େଇ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବର ଆରମ୍ଭ ମାତ୍ର ବୋଲି କୁହାଯାଉଛି। ବଡ଼ କଥା ହେଲା ବିଜେଡିର ତିନି ଜଣ ବିଧାୟକ ଏହି ନିର୍ବାଚନରେ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।
ନିର୍ବାଚନ ପୂର୍ବରୁ ଦଳ ଡିଆଁ ଏବଂ ମିଶ୍ରଣ ପର୍ବ ଜିଲ୍ଲା ରାଜନୀତିକୁ ନୂଆ ଦିଗ ଦେଇଥିଲା। ରାଜନୈତିକ ଆରୋପ ଏବଂ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଚାଲି ଯାଇଥିଲା। ତେଣୁ ନିର୍ବାଚନରେ ଗୋଟିଏ ଗୋଟିଏ ଭୋଟ ବି ବଡ଼ ଫରକ ପକାଇବ ବୋଲି ଆକଳନ କରାଯାଉଥିଲା। ଯାହା ଏବେ ସତ ହୋଇଛି। କିନ୍ତୁ ଏହି ନିର୍ବାଚନ ବିଜେଡି ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଆଗାମୀ ନିର୍ବାଚନର ରୂପରେଖ କ’ଣ ହେବ ତାହାର ଆଭାସ ଦେଇଛି। ଯଦି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ ତେବେ ଲକ୍ଷ୍ମୀପୁର, ପଟାଙ୍ଗି ଏବଂ କୋରାପୁଟ ବିଧାୟକଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ଜୋନ୍ ମଧ୍ୟରୁ ଦୁଇଟି ଜୋନ୍ରେ ବିଜେଡି ବିଜୟୀ ହୋଇଛି। ବଳକା ୫ଟି ଜୋନ୍ କଂଗ୍ରେସ ହାତକୁ ଚାଲି ଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଦୁଇ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ବର୍ତ୍ତମାନର ବିଧାୟକ ନେତୃତ୍ବ ନେଇଥିଲେ। ବନ୍ଧୁଗାଁ ବ୍ଲକ୍ ଦାୟିତ୍ବରେ ପୂର୍ବତନ ବିଧାୟକ ତଥା ସାଂସଦ ଝିନ୍ନ ହିକକା ରହିଥିଲେ। ଏହି ବ୍ଲକ୍ରେ ବିଜେଡି ଉଭୟ ଜୋନ୍ ଅକ୍ତିଆର କରିଛି। ଅନ୍ୟପଟେ ବର୍ତ୍ତମାନର ବିଧାୟକ ପ୍ରଭୁ ଜାନି ନିଜ ବ୍ଲକ୍ ଦଶମନ୍ତପୁରରେ ଦଳକୁ ଜିତାଇବାରେ ସଫଳ ହେଲେ ନାହିଁ। ସେହିପରି କଂଗ୍ରେସ ଛାଡ଼ି ବିଜେଡିକୁ ଯାଇଥିବା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କିଲେସିକା ବି ନିର୍ବାଚନରେ କୌଣସି ପ୍ରକାର ପ୍ରଭାବ ପକାଇ ପାରିଲୋନି।
କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ବିଜେଡି ଭାଗରେ ମାତ୍ର ଗୋଟିଏ ଜୋନ୍ ପଡ଼ିଛି। ବଳକା ୪ଟି ଜୋନ୍ କଂଗ୍ରେସ ହାତକୁ ଚାଲି ଯାଇଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ରଘୁରାମ ପଡ଼ାଲ ରହିଛନ୍ତି। ଦଳର ଏଭଳି ପ୍ରଦର୍ଶନ ବିଧାୟକ ଏବଂ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ନିଶ୍ଚିତ ରୂପେ ଚିନ୍ତା କରିବାକୁ ବାଧ୍ୟ କରିବ। ପଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ସେମିଳିଗୁଡ଼ା ବ୍ଲକ୍ର ଦୁଇଟି ଜୋନ୍ କଂଗ୍ରେସ ଅକ୍ତିଆର କରିଛି। ନନ୍ଦପୁର ବ୍ଲକ୍ର ଦୁଇ ଜୋନ୍ ଏବଂ ପଟାଙ୍ଗି ବ୍ଲକ୍ର ଗୋଟିଏ ଜୋନ୍ ବିଜେଡି ଦଖଲକୁ ନେଇଛି। ପଟାଙ୍ଗି ବ୍ଲକ୍ର ଜୋନ୍-୧ରେ ସର୍ବଦଳୀୟ ପ୍ରାର୍ଥୀ ହୋଇଥିବା ମମତା ଜାନିଙ୍କ ପାଇଁ ବିଧାୟକ ପୀତମ ପାଢ଼ୀ ପ୍ରଚାର କରିଥିଲେ। ତଥାପି ଏଠାରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ ହେଲେ। ଏହି ନିର୍ବାଚନ ମଣ୍ଡଳୀରେ କେବଳ ଅଧା ଜୋନ୍ ଜିତିବାରେ ବିଧାୟକ ସଫଳ ହୋଇଛନ୍ତି।
କଂଗ୍ରେସର ପୂର୍ବ ଗଡ଼ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିନ୍ତୁ ବିଜେଡି ବଡ଼ ସଫଳତା ପାଇଛି। ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ନିଜ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛନ୍ତି। କୋଟପାଡ଼, କୁନ୍ଦୁରାର ଦୁଇଟି ଲେଖାଏଁ ଜୋନ୍ ସହ ବୋରିଗୁମ୍ମା ଏବଂ ବୈପାରିଗୁଡ଼ାର ଗୋଟିଏ ଲେଖାଏଁ ଜୋନ୍ରେ ବିଜେଡି ସଫଳତା ପାଇଛି। କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ପରେ ବିଜେଡିର ଭୋଟ ହାର ବଢ଼ିଥିବା କୁହାଯାଉଛି। ଯାହାଫଳରେ ନିର୍ବାଚନ ମଣ୍ଡଳୀର ୬ଟି ଯାକ ବିଜେଡି ଦଖଲରେ ରହିଛି। ବିଜେଡିକୁ ଜିଲ୍ଲା ପରିଷଦ ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଏହି ନିର୍ବାଚନ ମଣ୍ଡଳୀରୁ ହିଁ ମିଳିଥିବା ଦଳ ଭିତରେ ଚର୍ଚ୍ଚା ହେଉଛି।
କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କରିଛି। କିନ୍ତୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ବିଧାନସଭା କ୍ଷେତ୍ରରେ ଆଶାନୁଯାୟୀ ପ୍ରଦର୍ଶନ କରିପାରି ନାହାନ୍ତି। ଜୟପୁର ବ୍ଲକ୍ର ୩ଟି ଜୋନ୍ ଏବଂ ବୋରିଗୁମ୍ମା ବ୍ଲକ୍ର ଦୁଇଟି ଜୋନ୍ ମଧ୍ୟରୁ କେବଳ ଗୋଟିଏ ଜୋନ୍ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଫଳାଫଳ ଜୟପୁର ବିଧାୟକଙ୍କୁ ନିଜ ସ୍ଥିତି ସୁଧାରିବା ପାଇଁ ଗୋଟିଏ ସୁଯୋଗ ଦେଇଛି। ତେବେ ଏଥର ନିର୍ବାଚନରେ ବିଜେପି କୌଣସି ପ୍ରଭାବ ପକାଇ ପାରିଲା ନାହିଁ। ଦଳ ପୂରା ମୂଳପୋଛ ହୋଇଗଲା ଭଳି ଫଳାଫଳ ଦେଖିବାକୁ ମିଳିଛି।