କଟକ ଜିଲ୍ଲାରେ ନେତାଙ୍କ ବିଜୟ ରେକର୍ଡ: ଭର୍ତ୍ତୃହରି ଓ ଦେବୀ ୬ ଥର; ରାଜା ୭ଥର

କଟକ: କଟକ ଜିଲ୍ଲାରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ କି ନିର୍ବାଚନ ଜିତିବାରେ ରେକର୍ଡ କରି ଚାଲିଛନ୍ତି। କୌଣସି ଗୋ‌ଟିଏ ନିର୍ବାଚନମଣ୍ଡଳୀରୁ ସାଂସଦ ଅଥବା ବିଧାୟକଭାବେ ଜିତିବାର ରେକର୍ଡ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ତଥା ପୂର୍ବତନମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା)। ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ‌ଦେବୀ ପ୍ରସାଦ ମିଶ୍ର କ୍ରମାଗତଭାବେ ୬ଷ୍ଠ ଥର ପାଇଁ ସାଂସଦ ଓ ବିଧାୟକ ହୋଥିବା ବେଳେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୭ମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ୨୦୦୯ ନିର୍ବାଚନରେ ଟିକେଟ୍‌ ବିବାଦ ‌ଯୋଗୁଁ ରାଜା ସ୍ବାଇଁଙ୍କ ବଦଳରେ ତାଙ୍କ ଖାସ୍‌ ଅନୁଗତ ରମେଶ ରାଉତ୍‌(ଚକରା) ଆଠଗଡ଼ ବିଧାୟକଭାବେ ନିର୍ବାଚିତ ହେଲେ ପରେ କିନ୍ତୁ ୨୦୧୨ ଉପନିର୍ବାଚନରେ ରଣେନ୍ଦ୍ର ପୁଣି ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ଯଦି ଓଡିଶା ବିଧାନସଭା ଇତିହାସ କଥା ଦେଖାଯାଏ ତାହେଲେ କ୍ରମାଗତଭାବେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବିକ୍ରମ ଆରୁଖ ଷଷ୍ଠ ଥର ପାଇଁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। କଟକ ଜିଲ୍ଲାର ରେକର୍ଡ ଅନୁଯାୟୀ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ୫ ଥର ନିର୍ବାଚିତ ହୋଇଥିଲେ। ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ୫ ଥର ବିଧାୟକ ହୋଇଛନ୍ତି। ସେ ମାହାଙ୍ଗାରୁ ୩ଥର ଓ କିଶନନଗରରୁ ଦୁଇ ଥର ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ‌ଦେବାଶିଷ ସାମନ୍ତରାୟ ୩ ଥର ଓ ପ୍ରଭାତରଂଜନ ବିଶ୍ବାଳ ୩ ଥର ବିଧାୟକ ହୋଇଛନ୍ତି। ଦେବାଶିଷ ବାରବାଟୀ-କଟକରୁ ୨ ଥର ଓ ତ‌ିର୍ତ୍ତୋଲରୁ ଥରେ ନିର୍ବାଚିତ ହୋଇଥିବା ବେଳେ ପ୍ରଭାତ ସଦରରୁ ଥରେ ଓ ଚୌଦ୍ବାର-କଟକରୁ ୨ ଥର ନିର୍ବାଚିତ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା ୩ଥର ହେଲା ବିଧାୟକଭାବେ ନିର୍ବାଚିତ ହୋଇଆସୁଛନ୍ତି ସେ ସାଲେପୁରରୁ ଥରେ ଓ ସଦରରୁ ୨ଥର ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ୩ଥର ଲଗାତାରଭାବେ ନିର୍ବାଚିତ ହୋଇଛନ୍ତି।
କଟକ ଜିଲ୍ଲାର ରହିଛି ୯ଟି ବିଧାନସଭା କ୍ଷେତ୍ର ଓ ତିନୋଟି ସଂସଦୀୟ ‌କ୍ଷେତ୍ର। କଟକ ଲୋକସଭା ଆସନରୁ ୧୯୯୮ରୁ ଏ ପର୍ଯ୍ୟନ୍ତ ଲଗାତର ୬ଥର ସାଂସଦଭାବେ ବିଜୟୀ ହୋଇ ରେକର୍ଡ କରିଛନ୍ତି ଭର୍ତ୍ତୃହରି ମହତାବ। ବାରବାଟୀ – କଟକରୁ ବିଧାୟକ ଦେବାଶିଷ ସାମନ୍ତରାୟ ଲଗାତର ଭାବେ ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଛନ୍ତି। ଚୌଦ୍ବାର – କଟକ ନିର୍ବାଚନମଣ୍ଡଳୀରୁ ପ୍ରଭାତ ବିଶ୍ବାଳ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇଥିବା ବେଳେ ୨୦୦୪ରେ ପ୍ରଭାତ ସଦର କଟକ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ଦେବାଶିଷ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଧାୟକ ଥିଲେ। ଆଠଗଡ଼ ବିର୍ନାଚନମଣ୍ଡଳୀରୁ ୧୯୯୦ରୁ ବର୍ତ୍ତମାନ ସୁଦ୍ଧା ୭ମ ଥର ପାଇଁ ରାଜା ସ୍ବାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ବଡ଼ମ୍ବା – ନରସିଂହପୁର ନିର୍ବାଚନମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କ୍ରମାଗତଭାବେ ୧୯୯୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତର ୬ଥର ନିର୍ବାଚିତ ହୋଇସାରିଛନ୍ତି। ବାଙ୍କୀ ନିର୍ବାଚନମଣ୍ଡଳୀରୁ ପ୍ରଭାତ ତ୍ରିପାଠୀ ୪ ଥର ନିର୍ବାଚିତ ହୋଇ ସାରିଥିବା ବେଳେ କୌଣସି ଥର ହାଟ୍ରିକ ବିଜୟ ହାସଲ କରି ପାରି ନାହାନ୍ତି। ପ୍ରଭାତ ତ୍ରିପାଠୀ ୧୯୯୫ରୁ ୨୦୦୦ ଜନତା ଦଳ ପ୍ରାର୍ଥୀ ଭାବେ ବାଙ୍କୀରୁ ବିଜୟୀ ହୋଇଥିବା ବେଳେ ୨୦୦୦ରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ।

ପରେ ପୁଣି ପ୍ରଭାତ ତ୍ରିପାଠୀ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ବାଙ୍କୀ ନିର୍ବାଚନମଣ୍ଡଳୀରୁ ପୂର୍ବରୁ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ୍ ମଧ୍ୟ ୪ଥର ବିଧାୟକଭାବେ ବିଜୟୀ ହୋଇଥିଲେ। ୨୦୦୯ରେ ନୂତନଭାବେ ଗଠିତ ନିର୍ବାଚନମଣ୍ଡଳୀରୁ ଲଗାତର ତିନି ଥର ପ୍ରଫେସର ଡାକ୍ତର ପ୍ରମୋଦ ମଲ୍ଲିକ ନିର୍ବାଚିତ ହୋଇଛନ୍ତି। ପୁରୁଣା ଗୋବିନ୍ଦପୁର ନିର୍ବାଚନମଣ୍ଡଳୀରୁ ପଞ୍ଚାନନ କାନୁନ୍‌ଗୋ ୩ ଥର ଓ ତାଙ୍କ ଭାଇ ତ୍ରିଲୋଚନ କାନୁନଗୋ ଦୁଇ ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ସେଖ୍ ମତଲୁବ୍ ଅଲ୍ଲୀ ସର୍ବାଧିକ ୪ ଥର ଓ ପୂର୍ବତନ ବାଚସ୍ପତି ଶରତ କର ୩ଥର ବିଜୟୀ ହୋଇଛନ୍ତି। ପ୍ରତାପ ଜେନା ଏଠାରୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟୀ ହୋଇ ହାଟ୍ରିକ ବିଜୟ ହାସଲ କରିଛନ୍ତି। କିନ୍ତୁ ପ୍ରତାପ ପୂର୍ବରୁ କିଶନନଗର (ପୁରୁଣା) ନିର୍ବାଚନ ମଣ୍ଡଳୀରୁ ଦୁଇ ଥର (୨୦୦୦ ଓ ୨୦୦୪)ରେ ବିଜୟୀ ହେବା ସହ ଲଗାତର ଭାବେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଲେଣି। କଟକ ସଦର ଆସନରୁ ପୂର୍ବରୁ କେହି ୨ୟ ଥର ପାଇଁ ନିର୍ବାଚିତ ହୋଇ ନଥିବାବେଳେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ପ୍ରଧାନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ଚନ୍ଦ୍ର ସାରଥି।

ସମ୍ବନ୍ଧିତ ଖବର