ନାବାଳକଙ୍କ ଉପରେ ଚଢ଼ିଗଲା ଡମ୍ପର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର/ ପଳଶପଙ୍ଗା : କେନ୍ଦୁଝର ସଦର ଥାନା ହୁଣ୍ଡୁଲା ରାଇସମିଲ ନିକଟରେ ଆଜି ସକାଳେ ଏକ ଡମ୍ଫର (ଓଆର-୦୯ଏଚ-୭୪୯୫) ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପଣ୍ତାପଡ଼ା ଥାନା ବ୍ରାହ୍ମଣୀପଙ୍ଗା ଗ୍ରାମର ବାବୁଲି ନାଏକଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଏବଂ ପୁଅ ଅଜୟ ନାଏକ (୧୧) ହୁଣ୍ଡୁଳା ମାମୁ ଘରେ ରହି ପାଠ ପଢୁଥିଲେ। ଆଜି ସକାଳ ୧୦ଟା ପାଖାପାଖିରେ ଅଜୟ ରାଇସମିଲ୍ ନିକଟରେ ସାଇକେଲ ଚଲାଉଥିଲେ। ଏହି ସମୟରେ ରାଇସମିଲରୁ ବାହାରୁଥିବା ଡମ୍ଫରଟି ଅଜୟଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଫଳରେ ଅଜୟ ସାଇକେଲ ସହିତ ଛିଟିକି ପଡିଥିଲେ ଏବଂ ତାଙ୍କ ଉପରେ ଡମ୍ଫରଟି ଚଢି ଯାଇଥିଲା। ପ୍ରବଳ ରକ୍ତସ୍ରାବ ହେବା ସହିତ ଅଜୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଡମ୍ଫର ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସେଠାରେ ଏକତ୍ରିତ ହେବାରୁ ଉ‌ତ୍ତେଜନା ବଢ଼ିଥିଲା। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝସୁଝା କରିଥିଲେ। ହେଲେ ଲୋକମାନେ କିଛି ଶୁଣି ନଥିଲେ।

ପରେ ରାଇସମିଲ କର୍ତ୍ତୃପକ୍ଷ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଏବଂ କ୍ଷତିପୂରଣ ବାବଦକୁ ୨ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ‌ଦେବା ପରେ ଲୋକମାନେ ରାସ୍ତାରୋକରୁ ହଟିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର