ରାଉରକେଲା ଏସ୍‌ପିଙ୍କ ନାଁରେ ଫେକ୍‌ ଆଇଡି ଖୋଲି ବ୍ଲାକମେଲିଂ କରିବା ମହଙ୍ଗା ପଡ଼ିଲା, ଅଭିଯୁକ୍ତ ନାବାଳକ ବଲାଙ୍ଗୀରରୁ ଗିରଫ

ରାଉରକେଲା: ରାଉରକେଲା ଏସପି କେ ଶିବା ସୁବ୍ରମଣୀଙ୍କ ନାଁରେ ଫେସବୁକରେ ଫେକ୍ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଙ୍ଗ କରିବା ଜଣେ ନାବାଳକକୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଉକ୍ତ ନାବାଳକକୁ ଗିରଫ କରିଛି ଉଦିତନଗର ପୁଲିସ। ଗିରଫ ନାବାଳକର ଘର ବଲାଙ୍ଗୀର ଜିଲ୍ଲାର ବୋଲି ପୁଲିସ କହିଛି।

ସୂଚନା ଅନୁସାରେ ନାବାଳକ ଜଣକ ୪ରୁ ୫ ଦିନ ତଳେ ଏସ୍‌ପି  ସୁବ୍ରମଣୀଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ନାବାଳକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୁଲିସ ଜାଲରେ ପଡ଼ି ନାବାଳକ ଧରାପଡ଼ିଛି।

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ଦେଢ ବର୍ଷ ପୂର୍ବେ ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ଶୁଭମ୍‌ ସାକ୍‌ସେନା, ସମ୍ବଲପୁର ପୂର୍ବତନ ଏସ୍‌ପି ସଂଜୀବ ଆରୋରା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଫେକ ଆଇଡି ଖୋଲି ସଂପୃକ୍ତ ନାବାଳକ ସମ୍ବଲପୁର ସହରର ଲୋକଙ୍କୁ ଠକୁଥିଲା। ନାବାଳକର ଘର ବଲାଙ୍ଗୀର ଜିଲ୍ଲା ହୋଇଥିଲେ ବି ସେ କିଛି ଦିନ ସମ୍ବଲପୁରରେ ଥିଲା ଏବଂ ଏହି ସମୟରେ ଜିଲ୍ଲାପାଳ, ଏସ୍‌ପି ଓ ବିଧାୟକଙ୍କ ନାଁରେ ଫେକ୍‌ ଆଇଡି ଖୋଲିଥିଲା।

ସେହିପରି ପୂର୍ବରୁ ମଧ୍ୟ ନାବାଳକ ଜଣକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ଫେକ ଆଇଡି ଖୋଲି ଜଣେ ଶିଳ୍ପପତିଙ୍କ ଆକାଉଣ୍ଟରୁ ପନ୍ଦର କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା। ଏହି ଟଙ୍କାରେ ସେ ଏକ ଅଡ଼ି କାର କିଣିଥିଲା। ପୁଲିସ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇ ଥିଲା। ବାଳ ସୁଧାର ଗୃହରୁ ବାହାରିବା ପରେ ପୁଣି ପୂର୍ବ ଭଳି କାମ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର