ସାରସକଣା: ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ଲୋକଙ୍କ ଘରଦ୍ବାର ଭାଙ୍ଗିଥିବ ବେଳେ ଗଛ ପଡ଼ି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଏ ପର୍ଯ୍ୟନ୍ତ ରାଜାଲୋକା ପଂଚାୟତର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରିନାହିଁ। ସେହିପରି ଗତକାଲି ରଜାଲୋକା ପଂଚାୟତର ପୁରୁଣାପଣି ଗ୍ରାମରେ କାନ୍ଥ ପଡ଼ି ଗୁରୁତର ହୋଇଥିବା ୧୨ ବର୍ଷୀୟ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗୁରଭା ସିଂଙ୍କ ପୁଅ ଶିବ(୧୨)। ସେ ଗତକାଲି ଅପରାହ୍ନରେ ଝଡ଼ବାତ୍ୟା ସମୟରେ ପଡ଼ୋଶୀ ରୁହ୍ୟା ସିଂଙ୍କ ଘରେ ଥିବା ସମୟରେ ହଠାତ ଏକ ଲିମ୍ବ ଗଛ ଘର ଉପରେ ଗଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ରହିଥିଲେ ଶିବ। ତାଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା। ରାତିରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ପିଲାଟିର ପ୍ରାଣବାୟୁ ଉଡ଼ି ଯାଇଥିଲା। ଭଦ୍ରକ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେଲାପରେ ଆଜି ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଶିବର ଜଣେ ଭାଇ ଓ ଭଉଣୀଙ୍କର ପୂର୍ବରୁ ଶରୀରିକ ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା ବେଳେ ଏବେ ଶିବର ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଗତକାଲି ସାରସକଣା ତହସିଲ ପକ୍ଷରୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆଜି ମୃତକଙ୍କ ପରିବାରକୁ ରଜାଲୋକା ସରପଞ୍ଚ ରବିକାନ୍ତ ସିଂ ହାରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ପରିବାରରକୁ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/6fb4cbd4-60ff-4c1d-bd1d-d7627ae408a2.jpg)