କଅଁଳ କାନ୍ଧରେ ପରିବାର ବୋଝ: ଶ୍ମଶାନ ଘାଟରେ ଶବ ଦାହ ବେଳେ ସହଯୋଗ କରି ରୋଜଗାର

ରାଉରକେଲା: ପ୍ରାୟ ଚାରି ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ହୋଇସାରିଛି। ଏବେ ପରିବାର କହିଲେ ୫ ଜଣ। ବଡ଼ ଭାଇ ଟ୍ରକ୍‌ରେ ଖଲାସୀ ଥିବାରୁ ବାହାରେ ରହୁଥିବାବେଳେ ରୋଗାଗ୍ରସ୍ତ ମା’ ବିଛଣାରେ। ଅନ୍ୟ ତିନି ନାବାଳକ ଭାଇ-ଭଉଣୀ ସ୍ଥାନୀୟ ସରକାରୀ ସ୍କୁଲରେ ଅଧ୍ୟୟନରତ। ଏ ସମସ୍ତଙ୍କ ଭରଣପୋଷଣର ଭାର ମୁଣ୍ଡେଇଛନ୍ତି ନାବାଳକ ଅର୍ଜୁନ ନାୟକ(୧୫)। ସେ ସଂପ୍ରତି ବେଦବ୍ୟାସ ମୁକ୍ତିଧାମରେ ଶବ ଜଳାଇବା କାର୍ଯ୍ୟରେ ସହଯୋଗ କରୁଛନ୍ତି। ମୃତକଙ୍କ ପ୍ରିୟଜନ ଯେଉଁ ଦି’ ପଇସା ଦେଉଛନ୍ତି, ସେଥିରେ ଚଳୁଛି ଅର୍ଜୁନଙ୍କ ପରିବାର। ଯେଉଁ ଦିନ ମୁକ୍ତିଧାମରେ ଶବ ଜଳୁଛି, ସେହିଦିନ ହିଁ ଅର୍ଜୁନଙ୍କ ଘରେ ଚୁଲି ଜଳୁଛି। ଯେଉଁଦିନ ଶବ ଜଳୁନି, ସେଦିନ ପୂରା ପରିବାର ଉପାସରେ ଦିନ କଟୁଛି। ଅର୍ଜୁନଙ୍କ କଅଁଳ କାନ୍ଧରେ ପରିବାର ପାଳନର ବୋଝ ପଡ଼ିଥିଲେ ମଧ୍ୟ ସେ ତାକୁ ନିଷ୍ଠାପର ସମ୍ପାଦନ କରିବାରୁ ପଛଘୁଞ୍ଚା ଦେଉନାହାନ୍ତି।

ଅର୍ଜୁନଙ୍କ ବାପା କାର୍ତ୍ତିକ ନାୟକ ବେଦବ୍ୟାସ ଶ୍ମଶାନଘାଟରେ ଶବ ଜଳାଇବା କାର୍ଯ୍ୟରେ ସହାୟକଭାବେ କାର୍ଯ୍ୟରତ ଥିଲେ। ସେଥିରୁ ଯାହା ମିଳିଲା, ସେଥିରେ ପରିବାର ଚଳୁଥିଲା। ତେବେ ପ୍ରାୟ ୪ ବର୍ଷପୂର୍ବେ ବାପାଙ୍କ ମୃତ୍ୟୁ ପରେ ସବୁ ଓଲଟାପାଲଟ ହୋଇଗଲା। ରୋଜଗାର ପାଇଁ ବଡ଼ ଭାଇ ଟ୍ରକ୍‌ ଖଲାସୀଭାବେ ଅନ୍ୟ ସ୍ଥାନକୁ ଯାଇଥିଲେ। ମା’ ରୋଗାଗ୍ରସ୍ତ ଥିବାରୁ ସେ ମଧ୍ୟ ଦନ ମଜୁରିଆଭାବେ ଆଉ କାମ କରିପାରିନଥିଲେ। ଏଣୁ ପରିବାରର ନିଜ ଛୋଟ ତିନି ଭାଇ-ଭଉଣୀ ଓ ମା’ଙ୍କ ଭରଣପୋଷଣ ପାଇଁ ଅଣ୍ଟା ଭିଡ଼ିଥିଲେ ଅର୍ଜୁନ। ପାଠ ପଢ଼ୁଥିଲେ; ମାତ୍ର ପରିସ୍ଥିତି ତାଙ୍କୁ ପାଠପଢ଼ାରେ ଡୋରୀ ବାନ୍ଧିବାକୁ ବାଧ୍ୟ କରିଥିଲା। ଏଣୁ ସେ ବାଧ୍ୟବାଧ୍ୟକତାର ସହ ୧୧ ବର୍ଷ ବୟସରୁ ବେଦବ୍ୟାସ ଶ୍ମଶାନ ଘାଟରେ ଶବ ଦାହ କାର୍ଯ୍ୟରେ ସହଯୋଗ କରୁଛନ୍ତି।

ଗତ ୪ ବର୍ଷ ହେଲା ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବେଳେ ଜଣେ ସହଯୋଗୀ ଦାୟିତ୍ବ ତୁଲାଇ ଘର ପୋଷୁଛନ୍ତି। କୌଣସି ମୃତ ବ୍ୟକ୍ତିଙ୍କ ଶବ ଅନ୍ତିମ ସଂସ୍କାର ପାଇଁ ଆସିଲେ ଅର୍ଜୁନ ସ୍ବେଚ୍ଛାକୃତ ଭାବେ ସେଥିରେ କୌଣସି ନା କୌଣସି ଉପାୟରେ ସହଯୋଗ କରିଥାନ୍ତି। ଏଥିପାଇଁ ମୃତକ ପରିବାର ପକ୍ଷରୁ ଅର୍ଜୁନକୁ ମିଳିଥାଏ ୧-୨ ଶହ ଟଙ୍କା। ଏଭଳିଭାବେ ଦିନକୁ ୩-୪ ଶହ ଟଙ୍କା ରୋଜଗାର କରିଥାନ୍ତି ଅର୍ଜୁନ। ଏତଦ୍‌ବ୍ୟତୀତ ସଂସ୍କାର କାର୍ଯ୍ୟ ସରିବାପରେ ଝୁଣା, ଲୁଣ, ଧୂପକାଠି ଏବଂ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଥାଏ ଅର୍ଜୁନ। କୌଣସି ମୃତକଙ୍କ ସମ୍ପର୍କୀୟ କିଛି ସାମଗ୍ରୀ ଆଣିବାକୁ ଭୁଲିଯାଇଥିଲେ ଅର୍ଜୁନ ସେସବୁ ଯୋଗାଇଦେଇଥାଏ। ଅବଶ୍ୟ ସେଥିପାଇଁ କୌଣସି ଅର୍ଥ ଦାବି କରିନଥାନ୍ତି ଅର୍ଜୁନ। କିନ୍ତୁ ମୃତକଙ୍କ ପରିବାର ଏ ବାବଦକୁ ମଧ୍ୟ କିଛି ଅର୍ଥ ଦେଇଥାନ୍ତି। ଏଭଳିଭାବେ ଶ୍ମଶାନ ଘାଟରୁ ଦି’ ପଇସା ରୋଜଗାର କରୁଛନ୍ତି ଅର୍ଜୁନ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଯଦି ଗରିବ କିମ୍ବା ବୃଦ୍ଧାଶ୍ରମରୁ କୌଣସି ମୃତ ଦେହ ଆସିଥାଏ, ତା’ହେଲେ ସେମାନଙ୍କଠାରୁ ଆଦୌ ଟଙ୍କା ଗ୍ରହଣ କରିନଥାନ୍ତି। ଏମିତିକି ନିଜ ସଂଗୃହିତ ସାମଗ୍ରୀରୁ ଆବଶ୍ୟକ ଜିନିଷ ମାଗଣାରେ ଯୋଗାଇଦେଇଥାନ୍ତି। ଆର୍ଥିକ ଅନଟନ ଦେଇ ଗତି କରୁଥିବା ସତ୍ତ୍ବେ ଲୋଭକୁ ପଛରେ ପକାଇ ସେବାମୂଳକ କାର୍ଯ୍ୟକରିବା; ତାଙ୍କ ମାନବିକତାର ଅନ୍ୟ ଏକ ନିଦର୍ଶନ।

ଅର୍ଜୁନ ଜଣେ ନାବାଳକ ହୋଇଥିବାରୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି କାର୍ଯ୍ୟ ପାଇଁ ବାରଣ କରାଯାଇଛି। ତେବେ ଏ କାର୍ଯ୍ୟ ବନ୍ଦ ହୋଇଗଲେ ଘରେ ଚୂଳି ଜଳିବା ବନ୍ଦ ହୋଇଯିବା। ରୋଗୀଣା ମା’ର ଔଷଧ କିଣାରେ ବ୍ୟାଘାତ ସୃଷ୍ଟି ହେବାସହ ତିନି ଛୋଟଛୋଟ ଭାଇ-ଭଉଣୀଙ୍କ ପାଠପଢ଼ା ବି ବନ୍ଦ ହୋଇଯିବ। ଏଣୁ ଏସବୁ ଅଙ୍କୁଶ ସହୃଦୟତାର ସହ ଏଡ଼ାଇ ଦେଇ ଏଭଳି କାର୍ଯ୍ୟରେ ନିଜକୁ ସମର୍ପିତ କରିଛି ଅର୍ଜୁନ।

ସମ୍ବନ୍ଧିତ ଖବର