କଟକ: ସାଲେପୁର ଭାତପଡା ଛକଠାରେ ଆଜି ଜଣେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କାର ଜରିମାନା ହୋଇଛି। ସାଲେପୁର ଥାନା ପୁଲିସ ଓ ଆରଟିଓର ମିଳିତ ଭାବେ ଯାଞ୍ଚ ଚାଲିଥିବା ବେଳେ ଜଣେ ୧୭ ବର୍ଷୀୟ ନାବାଳକ ସ୍କୁଟି ଚଲାଇ ଯାଉଥିବାବେଳେ ଧରା ପଡ଼ିଥିଲେ। ଉକ୍ତ ଚାଳକ ଜଣଙ୍କ ବିନା ହେଲମେଟ ପିନ୍ଧି ଗାଡି ଚଳାଉଥିଲେ। ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମାନା କରିବା ସହ ଗାଡିକୁ ଜବତ କରିଛି ପୁଲିସ।
ସୂଚନାଯୋଗ୍ୟ, ସମ୍ବଲପୁରରେ ଗାଡ଼ି ତନଖି ବେଳେ ଜଣେ ନାବାଳକ ଚଳାଉଥିବା ସ୍କୁଟିକୁ ୪୩ ହଜାର ଫାଇନ ହୋଇଥିଲା। ନାବାଳକ ଜଣକ ଗାଡ଼ି ଚଲାଉଥିବା ବେଳେ ପୁଲିସ ହାବୁଡରେ ପଡ଼ିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ନାବାକଳ ଚଳାଉଥିବାରୁ ୨୫ ହଜାର , ପ୍ରଦୂଷଣ ପାଇଁ ୧୦ ହଜାର, ଗାଡ଼ିର ଇନସୁରାନ୍ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଏପରି ଭାବେ ୪୩ହଜାର ଟଙ୍କାର ଚାଲାଣ କଟାଯାଇ ଥିବା ଜଣାପଡ଼ିଥିଲା।
କେବଳ ଏତିକି ନୁହେଁ, ଅନ୍ୟ ଏକ ଘଟଣାରେ ଜଣେ ନାବାଳକ ବାଇକ୍ ଚାଳକଙ୍କୁ ପୁଲିସ ୩୭ହଜାର ଟଙ୍କା ଫାଇନ୍ କରିଥିଲା। ଗୋଟିଏ ବାଇକ୍ରେ ତିନିଜଣ ଯାଉଥିବା ବେଳେ ପୁଲିସର ଗାଡ଼ି ତନଖି ବେଳେ ଧରାପଡ଼ିଥିଲେ। ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ନଥିବା ସହିତ ନାବାଳକ ଗାଡ଼ି ଚଳାଇବା ଭଳି ପ୍ରସଙ୍ଗରେ ଏହି ଜରିମାନା ହୋଇଥିଲା।