ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁରୁ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଗାଁ ଥାନା ଅଞ୍ଚଳର ପଲାଣିଘାଟି ଗାଁରେ ସାମାନ୍ୟ ମୋବାଇଲ ପାଇଁ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାର କୁସୁମି ଗାଁର ଅଧିବାସୀ ମାନସ ମହାନ୍ତ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ପଲାଣିଘାଟି ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାମ କରନ୍ତି । ତେଣୁ ତାଙ୍କର ପୂରା ପରିବାର ପଲାଣୀଘାଟି ଗାଁରେ ବାସବାସ କରନ୍ତି। ଗତକାଲି ଶିକ୍ଷକ ଓ ତାଙ୍କ ପତ୍ନୀ କୌଣସି କାମରେ ନିଜ ଜିଲ୍ଲାକୁ ଯାଇଥିଲେ। ଆଜି ଘରେ ବାପା-ମା’ ନଥିବା ସମୟରେ ନାବାଳକ ଭାଇ ଓ ଭଉଣୀଙ୍କ ମଧ୍ୟରେ ଗୋଟିଏ ମୋବାଇଲ ଫୋନ୍କୁ ନେଇ ଝଗଡ଼ା ହୋଇଥିଲା।
ଭାଇ ଭଉଣୀକୁ ମୋବାଇଲ ଫୋନ୍ ମାଗିଥିବା ବେଳେ ଭଉଣୀ ଦେବ ନାହିଁ ବୋଲି କହିଥିଲା। ଏଥିରେ ନାବଳକ ଭାଇ ରାଗିି ଯାଇ ଘର ଭିତରକୁ ଯାଇ ଫ୍ୟାନ୍ରେ ଏକ ଶାଢ଼ି ସାହାଯ୍ୟରେ ଫାଶି ଦେଇ ଆତ୍ମହତ୍ୟା କରି ଦେଇଥିଲା। ଅନେକ ସମୟ ଧରି ପୁଅ କବାଟ ନ ଖୋଲିବାରୁ ଭଉଣୀ ପଡ଼ିଶା ଘରକୁ ଖବର ଦେଇଥିଲା। ପଡ଼ିଶାଘର ଲୋକ ଆସି କବାଟ ଭାଙ୍ଗି ଭିତରକୁ ପଶିଥିଲେ। କୋଠରୀ ଭିତରେ ପୁଅର ଝୁଲନ୍ତା ଶବ ଦେଖି ସ୍ଥାଣୁ ପାଲଟି ଯାଇଥିଲେ । ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।