ଟଙ୍କା ନ ଶୁଝିବାରୁ ନାବାଳକ ପୁଅକୁ ଅପହରଣ, ୫ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ

୨ ବାଇକ୍ ଜବତ, ଷଡ଼ଯନ୍ତ୍ରକାରୀ ସମେତ ୩ ଅଟକ

ବୁଗୁଡ଼ା: ଧାର ନେଇଥିବା ଟଙ୍କା ମାଆ ଶୁଝି ନପାରିବାରୁ ନାବାଳକ ପୁଅକୁ ଛୁରୀ ଦେଖାଇ ଦିନ ଦିପହରରେ ଅପହରଣ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହେଲେ ପୁଲିସ ସମୟୋଚିତ ପଦକ୍ଷେପ ଯୋଗୁଁ ୫ ଘଣ୍ଟା ଭିତରେ ସଂପୃକ୍ତ ନାବାଳକକୁ ଉଦ୍ଧାର କରାଯାଇଥିବା ସହ ଏଥିରେ ସଂପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଦୁଇଜଣ ଅପହରଣକାରୀଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ଏହାସହ ୨ଟି ବାଇକ୍ ଜବତ ହୋଇଛି।

ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡ଼ା ଗ୍ରାମର ସନ୍ତୋଷ ଆପଟ ଓ ପତ୍ନୀ ରୁନୁଲତା ଭୁବନେଶ୍ବରରେ ଶ୍ରମିକ ଭାବେ କରୁଛନ୍ତି। ପୁଅ ରାଜେଶ (୧୭) ବି ସେଠାରେ ବାପାମାଆଙ୍କ ସହ ରହୁଛି। ରୁନୁଲତା ପ୍ରାୟ ୩ ମାସ ତଳେ ଆସିକା ଅଞ୍ଚଳର ସୁନା ବ୍ୟବସାୟୀ ନିରାକାର ଆଚାରୀଙ୍କ ଠାରୁ ୯୦ ହଜାର ଟଙ୍କା ଧାର ଆଣିଥିଲେ। ୫ ବର୍ଷ ଭିତରେ ସୁଧ ଓ ମୂଳ ସହ ଲକ୍ଷେ ଟଙ୍କା ପରିଶୋଧ କରିବେ ବୋଲି ରୁନୁଲତା ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଧାର ଆଣିବାର ୩ ମାସ ନଯାଉଣୁ ନିରାକାର ରୁନୁଲତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଏତେ ଶୀଘ୍ର ଟଙ୍କା ଦେଇପାରିବିନି ବୋଲି ରୁନୁଲତା ଅସହାୟତା ପ୍ରକାଶ କରିଥିଲେ। ତଥାପି ନିରାକାର ତାଙ୍କୁ ବାରମ୍ବାର ଫୋନ୍ କରି ଟଙ୍କା ମାଗି ଆସୁଥିଲେ। ଶେଷରେ ରୁନୁଲତାଙ୍କ ପୁଅ ରାଜେଶକୁ ଅପହରଣ କରିବା ଲାଗି ଯୋଜନା କରିଥିଲେ। ରାଜେଶ ୧୫ ଦିନ ତଳେ ଭୁବନେଶ୍ବରରୁ ଅନ୍ତରପଡ଼ା ଆସି ତାଙ୍କ ଜେଜେମାଆଙ୍କ ପାଖରେ ଥିଲେ।

ଏହା ଜାଣିବା ପରେ ଗତକାଲି ଅପରାହ୍‌ଣ ସାଢ଼େ ଗୋଟାଏରେ ୨ଟି ବାଇକ୍‌ରେ ତିନିଜଣ ଯୁବକ ଆସି ଅନ୍ତରପଡ଼ାରେ ପହଞ୍ଚି ରାଜେଶଙ୍କ ଜ‌େଜେମାଆଙ୍କ ଘରେ ପଶିଥିଲେ। ଆଉ ରାଜେଶଙ୍କୁ ଛୁରୀ ଦେଖାଇ ବାଇକ୍‌ରେ ଅପହରଣ କରି ନେଇଥିଲେ। ରାଜେଶ ପାଟି କରିବାରୁ ଗ୍ରାମର ସୂର୍ଯ୍ୟ ପ୍ରଧାନ ଓ ଜଟି ଆପଟଙ୍କ ସମେତ ୫ ଜଣ ଯୁବକ ୨ଟି ବାଇକରେ ସେମାନଙ୍କ ପିଛା କରିଥିଲେ। ଗହଙ୍ଗୁ ରାସ୍ତାରେ କେନ୍ଦୁପଦର ପର୍ଯ୍ୟନ୍ତ ଗ‌ୋଡ଼ାଇଥିଲେ ବି ସେମାନଙ୍କୁ କାବୁ କରି ପାରି ନଥିଲେ।

ଶେଷରେ ସେମାନେ ବାଲିପଦର ଫାଣ୍ଡିରେ ସୂଚନା ଦେବା ପରେ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ। ତୁରନ୍ତ ସଦଳବଳେ ଆସିକା ଯାଇ ନିରାକାରଙ୍କ ଘରୁ ତାଙ୍କ ପତ୍ନୀ ଓ ପୁଅକୁ ଆସିକା ଥାନାକୁ ଉଠାଇ ଆଣିଥିଲେ। ଏହାଭିତରେ ନିରାକାର ବାରମ୍ବାର ରୁନୁବାଳାଙ୍କୁ ଫୋନ୍ କରି ଧମକଚମକ ଦେଇସାରିଥିଲେ। ସୂଚନା ପାଇ ପୁଲିସ ଆସିକାସ୍ଥିତ ହୋଣ୍ଡା ସୋରୁମ୍‌ରେ ପହଞ୍ଚି ଘଟଣାରେ ସଂପୃକ୍ତ ଜଣକୁ ଉଠାଇ ଆଣି ପଚରାଉଚରା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର