ଆମ୍ବ ଗଛ ମୂଳେ ଖେଳୁଥିଲା ନାବାଳକ, ବଜ୍ରପାତରେ ମୃତ

ଦେବଗଡ଼: ବଜ୍ରପାତ ନେଲା ନାବାଳକର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବିଛଣାପୁର ଗ୍ରାମରେ ମାମୁଁ ଘରେ ରହି ପାଠପଢ଼ୁଥିବା ବାରକୋଟ ବ୍ଲକ୍‌ ଅନ୍ତର୍ଗତ ଦନ୍ତାରିବାହାଳ ଗ୍ରାମରଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା(୧୧) ଆଜି ଅପରାହ୍ନ ସମୟରେ ଘର ବାହାରେ ଆମ୍ବ ଗଛ ମୂଳେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ରମଣୀକାନ୍ତ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ।ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜିଲ୍ଲାରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଥିଲା । ତେବେ ଜିଲ୍ଲାର ସୁଗୁଡା, ଧୁବୁଲିପଥର, ନୂଆଡିହି, ରଙ୍ଗମାଟିଆ, ବଡଛାପଲ ଗ୍ରାମରେ ବହୁ ଘରର ଛପର ଉଡିଯିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହାସହିତ ଧୁବୁଲିପଥର ଗ୍ରାମ ନିକଟରେ ରାସ୍ତାରେ ଗଛ ପଡିଯିବା ଯୋଗଁୁ ବେଶ କିଛି ସମୟ ଧରି ରାଂଚି- ବିଜୟୱାଡା ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଗଛ କଟାଯିବା ପରେ ଯାନବାହାନ ଚଳାବଳ ସ୍ବଭାବିକ ହୋଇଥିଲା । ଠିକ ସେହିପରି ଭାବେ ରିଆମାଳ ବ୍ଲକର ନୂଆଡିହି ଗ୍ରାମରେ ଥିବା ପଂଚପାଲି ଊଚ୍ଚ ବିଦ୍ୟାଳୟର ଆଜବେଷ୍ଟସ ଉଠାଇ ନେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ଅନ୍ୟପଟେ ସୁଗୁଡା ଗ୍ରାମରେ ଥିବା ଅପୂର୍ବ ହାଇସ୍କୁଲର ମଧ୍ୟ ଆଜବେଷ୍ଟସ ଉଠାଇନେଇଛି । ରଙ୍ଗମାଟିଆ ଓ ବଡଛାପଲ ଗ୍ରାମରେ ବହୁ ଘରର ଛପର ଉଠାଇନେଇଥିବା ଜଣାପଡିଛି ।ଏହାସହିତ ଭାଲୁଚବା ଗ୍ରାମରେ ବଜପ୍ରାତ ଗୋଟିଏ ଗାଈର ମୃତ୍ୟୁ ଘଟିଛି । ତେବେ କ୍ଷତିଗ୍ରସ୍ତ ଲୋକଙ୍କ କ୍ଷୟକ୍ଷତି ସଂପର୍କରେ ସଠିକ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।ଏହାସହିତ ରାସ୍ତାରେ ବହୁ ବିଦ୍ୟୁତ ଖୁଣ୍ଟ ଉପୁଡିପଡିଥିବାବେଳେ ତାରା ମଧ୍ୟ ଛିଟିଯାଇଛି । ଯାହାଫଳରେ କି ଉକ୍ତ ଅଂଚଳରେ ଖବରଲେଖା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବ୍ୟାହତ ହୋଇଛି ।

ସମ୍ବନ୍ଧିତ ଖବର