ସୁନ୍ଦରଗଡ଼: ମହାମାରୀ କରୋନା ସଂକ୍ରମଣରେ ପ୍ରାଣ ହରାଇଲେ ବାପା। ଆଉ ତାଙ୍କ ମଲା ମୁହଁରେ ପିପିଇ କିଟ୍ ପିନ୍ଧି ନିଆଁ ଦେଲା ୮ ବର୍ଷର କୁନି ପୁଅ। ବୁଧବାର ସୁନ୍ଦରଗଡ଼ ରାଣୀବଗିଚାସ୍ଥିତ ସ୍ବର୍ଗଦ୍ବାରରେ ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ସବଡେଗା ଅଞ୍ଚଳର ସତ୍ୟବାନ କରାଳି (୩୫) ଙ୍କ କୋଭିଡ ଲକ୍ଷଣ ପ୍ରକାଶ ପାଇବା ପରେ ସୋମବାର ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ କେୟାର କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅଚାନକ ଅମ୍ଳଜାନସ୍ତର ହ୍ରାସ ପାଇ ସେ ମଙ୍ଗଳବାର ଦିନ ୧୧ଟାରେ ପ୍ରାଣ ହରାଇଥିଲେ। ବାହାରେ ଥିବା ପରିବାର ଲୋକେ ବୁଧବାର ସୁନ୍ଦରଗଡ଼ ପହଞ୍ଚିବା ପରେ ସ୍ବର୍ଗଦ୍ବାର ଠାରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ମଶାନବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ, ଚିଣ୍ଟୁ ରକ୍ସା, ଦେବେନ ସାହୁ ଶବସତ୍କାର କରିଥିଲେ। ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ଦାହସଂସ୍କାର ସମୟରେ ଉପସ୍ଥିତ ରହି ମୃତକଙ୍କୁ ସମ୍ମାନ ଜଣାଇବା ସହ ଶ୍ମଶାନବନ୍ଧୁମାନଙ୍କୁ ପ୍ରଶଂସା କରିଥିଲେ।