ଅନାଥ ନାବାଳକକୁ ଥଇଥାନ କଲେ ଆଇନ ସେବା ପ୍ରାଧିକରଣ

ମାଲକାନଗିରି: ଜଣେ ପିତୃମାତୃ ହୀନ ନାବାଳକ ଅତି ବିପନ୍ନ ଅବସ୍ଥାରେ ରହିଥିବା ବେଳେ ତାକୁ ବରିଷ୍ଠ ଓକିଲ ତଥା ଆଇନ ସେବା ପ୍ରାଧିକରଣର ମୂଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅଶୋକ ପଟ୍ଟନାୟକ ଉଦ୍ଧାର କରିଥିଲେ। ପରେ ଆଇନ ସେବା ପ୍ରାଧିକରଣ ନିକଟରେ ହାଜର କରାଇଥିଲେ। ଶିଶୁଟି ସହ ଆଇନ ସେବା ପ୍ରାଧିକରଣର ସହାୟକ ଆଇନ ସେବା ଓକିଲ ରାଜେଶ ପଟ୍ଟନାୟକ, ସାଗର ପାଣିଗ୍ରାହୀ ଓ ସଂଯୁକ୍ତ ଦତ୍ତ ଆଲୋଚନା କରିବା ପରେ ଜଣାପଡ଼ିଲା ଯେ କରୋନା ସମୟରେ ତାଂକର ପିତାମାତାଙ୍କର ଦେହାନ୍ତ ହୋଇଯାଇଛି। ପିତାମାତାଙ୍କର ଦେହାନ୍ତ ହେବା ପରେ ସେ ଏକାକୀ ହୋଇଯାଇଥିଲା। ତାଂକର କେହି ସଂପର୍କୀୟ ତାଂକୁ ପଚାରିନଥିବାରୁ ସେ ସାହି ବାସିନ୍ଦାଙ୍କ ସହଯୋଗରେ ଦିନ କାଟୁଥିଲା।

ଏବେ ଦୋକାନଗୁଡ଼ିକରେ କାମ କରି ନିଜର ଖର୍ଚ୍ଚ ପୂରଣ କରୁଥିଲା। ସରକାରଙ୍କ ଆଶୀର୍ବାଦ ଯୋଜନାରେ ପିଲାଟିକୁ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଉକ୍ତ ରାଶି ବ୍ୟାଙ୍କ ପାଖରେ ଜମା ରହିଛି। କୌଣସି ଅଭିଭାବକ ନଥିବା ଯୋଗୁଁ ଉକ୍ତ ଟଂକାକୁ ଉପଯୋଗ କରିପାରୁ ନାହିଁ। ବିଭିନ୍ନ ଜାଗାରେ କାମ କରୁଥିବା ବେଳେ ଚଳିତ ବର୍ଷ ୨୦୨୪ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଶିଶୁଟିକୁ ଥଇଥାନ କରିବା ନେଇ ଓକିଲ ଅଶୋକ ପଟ୍ଟନାୟକ ଆଇନ ସେବା ପ୍ରାଧିକରଣ ନିକଟରେ ଅନୁରୋଧ କରିଥିଲେ। ଏହାପରେ ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି ଜିଲ୍ଲା ଶିଶୁ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଚାଇଲ୍ଡ ଲାଇନ ଦ୍ବାରା ଶିଶୁଟିକୁ ଶିଶୁ ମଂଗଳ କମିଟି ନିକଟରେ ହାଜର କରାଇବାକୁ କୁହାଯାଇଛି। ଏହା ସୟ ସମୟ ସମୟରେ ଅନୁସରଣ କରି ଶିଶୁଟି ଯେପରି ଅସମାଜିକ ବ୍ୟକ୍ତି ସଂସ୍ପର୍ଶରେ ନଆସେ ସେଥିପ୍ରତି ଦୃଷ୍ଟି ଦେବା ସହ ଶିଶୁଟିର ସ୍ଥାବର ଓ ଅସ୍ଥାବର ସଂପତ୍ତିର ଯତ୍ନ ନିଆଯିବ ସେଦିଗରେ ଧ୍ୟାନ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର