ଗଞ୍ଜାମ: ଦୃଷ୍ଟିହୀନ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା ଉଦ୍ୟମ ଅଭିଯୋଗ

ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ଜଣେ ଦୃଷ୍ଟିହୀନ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ନାବାଳିକାଙ୍କୁ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚିଛି। ମାତ୍ର ଏ ପର୍ଯ୍ୟନ୍ତ ନାବାଳିକା ଜଣକ ଘଟଣା ସମ୍ପର୍କରେ ପୁଲିସକୁ ଠିକ୍‌ ଭାବେ କହି ପାରି ନାହାଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଜରଡ଼ା ଥାନା ଅନ୍ତର୍ଗତ ପୁହୁଣ୍ଡି ଗ୍ରାମରେ ଜଣେ ଦୃଷ୍କଟିହୀନା ନାବାଳିକା (୧୬ ବର୍ଷ) ପରିବାର ସହିତ ରହନ୍ତି। ସେ ଏକ ଦୃଷ୍ଟିହୀନ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ନ୍ତି। ତେବେ ଗତକାଲି ରାତିରେ ପରିବାର ସହିତ ଖାଇ ସାରି ନାବାଳିକା ଜଣକ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାଡ଼ି ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ତାଙ୍କୁ ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚିଛି। ତେବେ ଏହି ଦୃଷ୍ଟିହୀନା ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରା ଯାଇଛି କିମ୍ବା ନାହିଁ ତାହା ଡାକ୍ତରମାଇନା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ସନ୍ଦେହ କରାଯାଉଛି ଯେ କେହି ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର