ପିକଅପ ଭ୍ୟାନରେ ଧକ୍କାରେ ନାବାଳକ ମୃତ୍ୟୁ, ଚାଳକ ଅଟକ

ବାଲିଅନ୍ତା:ହଂସପାଳ –ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାଲିକାନ୍ଥିଆ ନିକଟରେ ଆଜି ସଂଧ୍ୟା ୫ଟା ସମୟରେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ଛନ୍ଦୋଳ ଗ୍ରାମର ପ୍ରତାପ କୁମାର ଦାଶଙ୍କ ପୁଅ ସାର୍ଥକ କୁମାର ଦାଶ (୯) । ଘଟଣାସ୍ଥଳରେ ସାର୍ଥକଙ୍କ ଅବସ୍ଥା ଗୁରତର ହୋଇପଡ଼ିଥିଲା । ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲ ।

ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନ ଜବତ କରିବା ସହ ଚାଳକକୁ ଅଟକ ରଖି ପଚରାଉଚରା କରୁଛି । ପ୍ରାପ୍ତ ସୂଚନାନୁଯାୟୀ ସାର୍ଥକ ମାଆଙ୍କ ଦହ ମାମୁଘର ବାଲିକାନ୍ଥିଆକୁ ବୁଲିବାକୁ ଯାଇଥିଲେ । ଅପରାହ୍ନରେ କୁରକୁରା ଆଣିବାକୁ ଆଇଙ୍କ ସହ ବଜାରକୁ ଯାଇଥିଲେ ।

ହେଲେ କୁରକୁରା କିଣି ରାସ୍ତା ପାର ହେବା ସମୟରେ ତାଙ୍କୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ସେ କିଛି ଦୂରକୁ ଘୋଷଡ଼ି ହୋଇପଡ଼ି ଗୁରୁତର ହୋଇପଡ଼ିଥିଲେ । ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁ ଘଟଣାସ୍ଥଳରେ ସେ ବେହୋସ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକ ୧୦୮ ଆମ୍ବଲାନ୍ସ ଡକାଇ ହସ୍ପିଟାଲକୁ ପଠାଇ ଦେଇଥିଲେ । ସାର୍ଥକର ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର