ସହରସାରା ମାଳ ମାଳ ନିଶାଡ଼ିଙ୍କ ଆଡ୍ଡା: ବିପଦରେ କିଶୋରବର୍ଗ, ସଙ୍କଟରେ ଜୟପୁର ସହର

କାର୍ଯ୍ୟନୁଷ୍ଠାନ ନେବାକୁ ଏସପିଙ୍କ ନିର୍ଦ୍ଦେଶ

ଜୟପୁର(ଶ୍ରୀକାନ୍ତ ସାହୁ): ସହରସାରା ମାଳ ମାଳ ନିଶାଡ଼ିଙ୍କ ଆଡ୍ଡା। ସନ୍ଧ୍ୟାଠାରୁ ସକାଳ ୧୦ଟା ଯାଏ ଜମୁଛି ଆସର। ଖାଲି ପଡ଼ିଥିବା ଖୋଲା ଓ ପରିତ୍ୟକ୍ତ ସ୍ଥାନ ନୁହେଁ। କୋରାପୁଟ ଜିଲ୍ଲା ଜୟପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଜମୁଛି ନିଶାଡ଼ିଙ୍କର ଆଡ୍ଡା। ଦିନ ଦୁଇପ୍ରହରରେ ଖୋଲମଖୁଲା ୨୦ରୁ ଅଧିକ କିଶୋର ଏହି ନିଶାଳରେ ପଡ଼ିଥିବା ବେଳେ ଖୋଲମଖୁଲା ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଏସପି ମୁଖେଶ କୁମାର ଭାମୋଙ୍କୁ ସୂଚନା ଦେବା ପରେ ସେ ଏସଡପିଓ, ଟାଉନ ଓ ସଦର ପୁଲିସକୁ ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାତ୍ର କିଛି କେଇ ଟଙ୍କାର ଲୋଭ ଓ ଟିକିଏ ନିଶା ହିଁ ବିପଦ ଆଡ଼କୁ ଟାଣି ନେଉଛି । ପୋକକୁ ଆଲୁଅ ଆଡ଼କୁ ନେବା ପରି। ଆଉ ଆକାଳରେ ଯାଉଛି କିଶୋରବର୍ଗଙ୍କ କୋମଳ ଜୀବନ। ଯେଉଁ ବୟସରେ ହସିଖେଳି ମଉଜ କରିବା କଥା ସେହି ସମୟରେ ନିଶାଜାଲରେ ପଡି ଛଟପଟ ହେଉଛନ୍ତି ଆସନ୍ତାଦିନ ଦେଶର ଭବିଷ୍ୟତ। ନିଶାରେ ରହି ଧର୍ଷଣ, ଚୋରୀ, ହତ୍ୟାକାଣ୍ଡ, ରାହାଜାନୀ ଓ ଲୁଟପାଟ କରିବାକୁ ମଧ ପଛାଉନାହାନ୍ତି। ଖାଲି ସେତିକି ନୁହେଁ ନିଷା ଖାଇ ଅକ୍ଷତ ଶରୀରକୁ କ୍ଷତରେ ଭରୁଛନ୍ତି, କିନ୍ତୁ କିଛି ଜାଣି ପାରୁନାହାନ୍ତି ସେମାନେ।

ଗତକାଲି ଅପରାହ୍ନ ପ୍ରାୟ ୪ଟା। ସ୍ଥାନ ଜୟପୁର ଗାନ୍ଧି ମାର୍ଗ। ପ୍ରଥମ ଦୈନିକ ବଜାର ଠାରୁ ଡାଏଟ ସ୍କୁଲ ଯାଏ ମାଳ ମାଳ ନିଶାଡ଼ି। ନିକଟରେ ପଡିଥିବା ଏକ ପାଣି ପାଉଚକୁ ଅଧା ଚିରି ସେଥିରେ ଫେବିକ୍ୱିକ୍‌ ଓ ଫେବିକଲକୁ ମିଶାଇ ପିଇବାକୁ ଲାଗିଲା ଜଣେ କିଶୋର। ସାଥିରେ ଥିଲେ ଆଉ ୩ଜଣ। ସମସ୍ତଙ୍କ ବୟସ ଅତି ବେଶୀରେ ୧୪ କି ୧୫ ହେବ। କିଛି ସମୟ ପରେ ହଠାତ ମୁଖ୍ୟ ରାସ୍ତା ଉପରକୁ ନିଶାଗ୍ରସ୍ତ ହୋଇ ଚାଲି ଆସିବା ଦେଖିବାକୁ ମିଳିଲା। ଏହି ସମୟରେ ଏକ ଗାଡି ମଧ ପଛପଟୁ ଆସୁଥିଲେ ସେମାନଙ୍କ ଖାତିର ନ ଥିବା ମଧ ଦେଖିବାକୁ ମିଳିଥିଲା। ପଚାରିବାରୁ ସେ ତା’ ଡାକ ନା ଚନ୍ଦୁ, ବୁଦୁରା, ରଘୁ ଓ ଦିଲୁ ବୋଲି କହିଥିଲେ।

ଘର ସ୍ଥାନୀୟ ଗୋପବଂଧୁ ନଗର, ଗୌଡ ସାହି ଓ ଏହାର ଆଖପାଖ ଅଞ୍ଚଳ ବୋଲି ସେମାନେ କହିଥିଲେ। ଏବଂ ଝୁଲି ଝୁଲି ପଡିଉଠି ଖାଲି ଚନ୍ଦୁ ନୁହେଁ ଏହି ପରି ଏକାଧିକ କିଶୋର ପ୍ରଥମ ଦୈନିକ ବଜାରର ୪ଟା ଯାକ ଗେଟ ସମ୍ମୁଖ, ଦ୍ଵିତୀୟ ଦୈନିକ ବଜାର, ପାରାବେଢା ଛକ, ଗୋପବଂଧୁ ନଗରରେ ଥିବା ଟାଉନ ହଲ, ନୂଆ ଓ ପୁରୁଣା ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବାଇପାସ ରୋଡ, ଜୟନଗର ରୋଡ, ୱେଲକମ ଜଙ୍କସନ, ମହାରାଣୀ ପେଟା, ଭୂତନାଥ ମନ୍ଦିର ନିକଟ ଆମ୍ବବଣ ଓ କେନାଲ ରୋଡରେ ସନ୍ଧ୍ୟା ଓ ସକାଳୁ ଦେଖିବାକୁ ମିଳିବ। ଖୁଲମଖୁଲା ଏହି କିଶୋରମାନେ ପଇସା ମାଗି ନଚେତ ଧମକାଇ ଆଦାୟ କରୁଥିବା ଦେଖିବାକୁ ମିଳିବ।

ଏନେଇ ଜୟପୁର ପୁଲିସ କହିଛି ଯେ, ଫେଭିକଲ ଓ ଡେନଡ୍ରାଇଡ ଟାଣୁଥିବାର ଖବର ମିଳିଛି। ତେଣୁ ସେମାନଙ୍କୁ ଧରିବାସହ କୌଣସି ହାର୍ଡଓୟୋର ଷ୍ଟୋର କର୍ତ୍ତୃପକ୍ଷ ଏପରି ନିଶାଡ଼ି କିଶୋରଙ୍କୁ ଏପରି ଦ୍ରବ୍ୟ କିପରି ବିକ୍ରି କରି ନ ପାରିବେ ସେନେଇ ପଦକ୍ଷେପ ନେବା ସହ ସେମାନଙ୍କୁ ଡାକି ଏକ ନୋଟିସ କରାଯିବ। ଏହାପରେ ଯଦି କିଏ ମାଗିଲା ତେବେ ପୁଲିସକୁ ତୁରନ୍ତ ଫୋନ କରିବେ ବୋଲି ଆଇଆଇସି ବାଳେଶ୍ୱର ଗିଦ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର