ଡାବୁଗାଁ/କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଆମ୍ବ ଗାଁର ଜଣେ ନାବାଳିକା ଆଜି ସକାଳୁ ଗାଁ ପାଖ ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଛି। ମୃତ ନାବାଳିକା ଆମ୍ବ ଗାଁର ଧନୀରାମ ହରିଜନଙ୍କ ଝିଅ ବର୍ଷା ହରିଜନ (୧୦)। ଏନେଇ ମୃତ ନାବାଳିକାର ବାପା କୋଡିଙ୍ଗା ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଆମ୍ବ ଗାଁ ନିକଟ ଏକ ପୋଖରୀରେ ଗାଧୋଇବାକୁ ଧନୀରାମ ହରିଜନର ଝିଅ ବର୍ଷା ହରିଜନ ଓ ତା ସାଥୀମାନେ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ବସତଃ ବର୍ଷାର ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲା। ସାଥୀ ସାଙ୍ଗମାନେ ବର୍ଷା ପାଣିରେ ବୁଡି ଯିବାପରେ ପରିବାର ଲୋକଙ୍କୁ ଜଣାଇଥିଲେ।
ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଗଭୀର ପୋଖରୀରୁ ବର୍ଷାକୁ ଉଦ୍ଧାର କରିଥିଲେ। ବର୍ଷାକୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ନାବାଳିକାର ବାପା ଧନୀରାମ୍ କୋଡିଙ୍ଗା ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।