ରାଇସ ମିଲରେ ବଣ୍ଡା ନାବାଳିକା ମୃତ୍ୟୁ ପରେ ଚେତିନି ପ୍ରଶାସନ: ପୁଣି ନାବାଳିକା କରୁଛନ୍ତି କାମ 

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଅନ୍ନନତ ଏବଂ ଆଦିମ ଜନଜାତି ହେଲେ ବଣ୍ଡା ଜନଜାତି। ଦୁର୍ଗମ ଖଇରପୁଟ ବ୍ଲକର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ଘାଟି ଉପରେ ବାସବାସ କରନ୍ତି ଏହି ଜନଜାତି। ନିଜର ପାରଂପାରିକ ରୀତିନୀତିରେ ବଂଚି ଆସୁଛନ୍ତି ବଣ୍ଡା।ବଣ୍ଡାଘାଟିରେ କାମଧନ୍ଦା ମିଳୁନଥିବାରୁ ବଣ୍ଡା ନାବାଳିକା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ କାମ କରୁଥିବା ଦେଖିବାକୁ ମିଳିଛି। ଏପରିକି ବାହାର ରାଜ୍ୟକୁ ଦାଦନ ଖଟିବାକୁ ମଧ୍ୟ ଯାଉଛନ୍ତି। ତେବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ ବଣ୍ଡା ଯୁବତୀ ଶାରିରୀକ ଏବଂ ମାନସିକ ନିର୍ଯାତନା ପାଇ ପୁଣି ଘରକୁ ଫେରିଆସୁଛନ୍ତି। ବିଗତ ଦିନରେ ବହୁ ବଣ୍ଡା ଯୁବତୀଙ୍କ ଅଶ୍ଲିଳ ଭିଡିଓ ଭାଇରାଲ ହେବା ସହ କିଛି ବଣ୍ଡା ଯୁବତୀ କାମ କରିବାକୁ ଯାଇ ଗର୍ଭବତୀ ହୋଇ ଫେରିଥିଲେ। ଏତେ ସବୁ ଘଟିଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଉନଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି ଗତ କିଛି ମାସ ତଳେ କିଛି ବଣ୍ଡା ଯୁବତୀ ମାଲକାନଗିରିସ୍ଥିତ ଏକ ରାଇସ ମିଲରେ କାମ କରୁଥିବା ବେଳେ ପ୍ରେମ ସଂପର୍କକୁ ନେଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବଣ୍ଡା ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ପୁଣି ମାଲକାନଗିରି ନିକଟସ୍ଥ ସିଆଡିମାଳ ନିକଟରେ ରହିଥିବା ମ୍ୟୁତୁଲମା ରାଇସ ମିଲରେ ବଣ୍ଡା ନାବାଳିକା କାମ କରୁଥିବା ଦେଖିବାକୁ ମିଳିଛି। କମ୍ ଟଂକାରେ ଅଧିକା କାମ କରୁଥିବାରୁ ଏମାନଙ୍କୁ ଦଲାଲମାନେ ବିଭିନ୍ନ ସ୍ଥାନରେ ବିକ୍ରି କରିଦେଇଥାନ୍ତି। ଏହି ରାଇସ ମିଲରେ ଏବେ ବହୁ ବଣ୍ଡା ନାବାଳିକା କାମ କରୁଥିବା ଦେଖିବାକୁ ମିଳିଛି। ଯେଉଁ ବୟସରେ ଏହି ନାବାଳିକା ପାଠ ପଢିବା କଥା ସେହି ବୟସରେ ଘରୁ ପଦାକୁ ବାହାରି କାମ କରୁଥିବା ଦେଖିବାକୁ ମିଳିଛି। ରାଇସ ମିଲଗୁଡିକରେ ଦିନରାତି ଖଟାଇବା ସହ ସେମାନଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଇଥାଏ।

ତେବେ ଏନେଇ ଜିଲ୍ଲାରେ ଶିଶୁ ସୁରକ୍ଷା ବିଭାଗ ରହିଛି ଏବଂ ଚାଇଲ୍ଡ ଲାଇନ ମଧ୍ୟ ରହିଛି।କିନ୍ତୁ ଏନେଇ ସେମାନଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡିଛି। ସେହିପରି ଶ୍ରମ ବିଭାଗ ମଧ୍ୟ ଚୁପ ହୋଇ ବସି ରହିଛି। କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତତ୍ପରତା ଦେଖାଉ ବୋଲି ଦାବି ହୋଇଛି। କରୋନା ମହାମାରୀ ସମୟରେ ଲୋକେ ଘରୁ ପଦାକୁ ବାହାରୁ ନଥିବା ବେଳେ ଏହି ମିଲରେ ବଣ୍ଡା ନାବାଳିକାମାନଙ୍କୁ ଦିନରାତି ଖଟାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ବଣ୍ଡା ଜନଜାତିଙ୍କ ପାଇଁ ବଣ୍ଡା ଉନ୍ନୟନ ସମିତି ରହିଛି। ଯେଉଁ ସମିତି ବଣ୍ଡା ଯୁବକଯୁବତୀମାନଙ୍କୁ କାମଧନ୍ଦା ଦେବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସମସ୍ତ ସହଯୋଗ କରିବ। କିନ୍ତୁ ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ କି କି ପଦକ୍ଷେପ ନିଆଯାଉଛି ତାହା ଆଜି ପର୍ଯ୍ୟନ୍ତ କାହାରିକୁ ଜଣାନାହିଁ। କୋଟି କୋଟି ଟଂକା ଏହି ଉନ୍ନୟନ ସଂସ୍ଥା ତରଫରୁ ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଜନଜାତି ବାହ୍ୟ ଜଗତ ସହ ଖାପଖୁଆଇ ଚଳିପାରୁନାହାନ୍ତି। ଆଧୁନିକ ସଭ୍ୟତା ସହ ଆଜି ବି ପାଦ ଥାପି ଚାଲିପାରୁନାହାନ୍ତି। ସରକାର ଏବଂ ପ୍ରଶାସନ ଏମାନଙ୍କ ପାଇଁ କାହିଁ କେତେ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଆଜି ବି ବଣ୍ଡା ଯୁବକ ଯୁବତୀ କାମଧନ୍ଦା ନପାଇଁ ଦାଦନ ଖଟିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କର ଫାଇଦା ଉଠାଉଛନ୍ତି ଏଭଳି ମିଲ ମାଲିକମାନେ। ତୁରନ୍ତ ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ ପକ୍ଷରୁ ଚଢାଉ କରାଯାଇ ଏହି ବଣ୍ଡା ନାବାଳିକାମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର