ସୁନ୍ଦରଗଡ଼: ଏକ ଅଭାବନୀୟ ଘଟଣାକ୍ରମରେ ତଳସରା ଥାନା ସବଡେଗା ଅଞ୍ଚଳର ଜଣେ ଆଦିବାସୀ ସ୍କୁଲ ଛାତ୍ରୀ ମା’ ହେବା ଓ କୋଳରେ ୫ ମାସର ଛୁଆ ସହ ଭାଗ୍ୟକୁ ନିନ୍ଦି ଘରେ ପଡ଼ି ରହିଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।
ବିଶେଷ କରି ଘଟଣାକୁ ବର୍ଷେ ପରେ ମଧ୍ୟ ପ୍ରେମିକ ରୂପ ଦୁଷ୍କର୍ମକାରୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇ ନଥିବା, ସବୁ ଜାଣି ମଧ୍ୟ ସ୍କୁଲ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ କି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନନେଇ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ଖବର ପ୍ରକାଶନ ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଦନ୍ତ ପାଇଁ ଉକ୍ତ ଗାଁକୁ ଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ‘ସମ୍ବାଦ’କୁ କହିଛନ୍ତି, ‘ଆସନ୍ତାକାଲି ଶିଶୁ ସୁରକ୍ଷାର ଏକ ଦଳ ଉକ୍ତ ଗାଁକୁ ଯାଇ ନାବାଳିକା ମା’ ଓ ତାଙ୍କ ପରିବାରକୁ ଭେଟି ପଚରାଉଚରା କରି ଆବଶ୍ୟକ ପଦକ୍ଷେପ ନେବ। ନାବାଳିକା ମା’ ଓ ଛୁଆର ଥଇଥାନ କରାଯିବା ସହ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୀଡ଼ିତାଙ୍କୁ ସହଯୋଗ କରାଯିବ’।
ସୂଚନାଯୋଗ୍ୟ, ଚଳିତ ବର୍ଷ ଦଶମ ବୋର୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ୨୦୧୯ରେ ଗାଁକୁ ବିପିଏଲ ବିଦ୍ୟୁତ ସଂଯୋଗ କାମ କରିବାକୁ ଆସିଥିବା ସୁନ୍ଦରଗଡ଼ ସଦରଥାନା କରମଡିହି ଡୁଙ୍ଗାଯୋର ଗାଁର ଅରମାନ ମିଞ୍ଜ ନାମକ ଜଣେ ଯୁବକ ପ୍ରେମ ଜାଲରେ ଫସାଇଥିଲେ।
ଗାଁରେ ରହିବା ଭିତରେ ସରଳ ଆଦିବାସୀ ଝିଅକୁ ସ୍କୁଲ ଯିବା ବାଟରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୋଗୁଁ ଛାତ୍ରୀ ଜଣକ ଅନ୍ତଃସତ୍ତ୍ବା ହୋଇଥିଲେ। ଏହା ପରେ ଯୁବକ ଅରମାନ ଝିଅ ପେଟରେ ବଢ଼ୁଥିବା ଗର୍ଭ ମୋର ନୁହେଁ କହି ଚମ୍ପଟ ମାରିଥିଲା। ସେପଟେ ସ୍କୁଲରେ ଭଲ କ୍ରୀଡ଼ାବିତ ଭାବେ ଛାତ୍ରୀ ନା କରିଥିବା ଓ ରାଜ୍ୟସ୍ତରରେ ଖେଳିବାର ସୁଯୋଗ ପାଇଥିବାରୁ ସ୍କୁଲ ଶିକ୍ଷକମାନଙ୍କ ସେ ପ୍ରିୟ ଥିଲେ। କିନ୍ତୁ ଏ ଘଟଣା ଜାଣିବା ପରେ ସମସ୍ତେ ମୁହଁ ବୁଲାଇ ନେଇଥିଲେ।
ଏପଟେ ଝିଅର ଗର୍ଭକୁ ନେଇ ଚିନ୍ତିତ ବାପା ଓ ମା’ ଗତ ଜାନୁଆରି ମାସରେ ସବଡେଗା ଡାକ୍ତରଖାନାକୁ ନେଇ ଗର୍ଭପାତ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଡାକ୍ତର କୁଆଡ଼େ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ଓ ସୁନ୍ଦରଗଡ଼ର କୌଣସି ଏକ କ୍ଲିନିକରେ ଗର୍ଭପାତ କରାଯିବ ବୋଲି କହିଥିଲେ।
ହେଲେ କୁଲି ମଜୁରି କରି ଚଳୁଥିବା ପରିବାର ଏତେ ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ନଥିବାରୁ ଫେରି ଆସିଥିଲେ। ତେବେ ଗାଁ ଲୋକଙ୍କ ଟାହିଟାପରା ସହି ନପାରି ଶେଷକୁ ରାଜଗାଙ୍ଗପୁର ନିକଟ ଏକ ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ପାଖକୁ ଝିଅକୁ ନେଇ ରଖିଥିଲେ।
ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଗତ ମଇ ୧୮ରେ ଏକ ସନ୍ତାନ ଜନ୍ମ କରିଥିଲେ ଛାତ୍ରୀ। ଏପରି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ବର୍ଷେ ପରେ ମଧ୍ୟ ସଚେତନତା ଅଭାବ ସହ ଲୋକଲଜ୍ଜା ଯୋଗୁଁ ପରିବାର ଲୋକେ ଏତଲା ଦେଇ ନାହାନ୍ତି।
ଗରିବ ଲୋକ, ଥାନାକୁ ଗଲେ ପୁଲିସ ଟଙ୍କା ମାଗିଲେ କେଉଁଠୁ ଦେବେ ଭାବି ଚୁପ ରହିଛନ୍ତି। ଏପରି ଏକ ସମ୍ବେଦଶୀଳ ଘଟଣାରେ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ତୁରନ୍ତ ହସ୍ତକ୍ଷେପ କରି ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି ହେଉଛି।