ରାୟଗଡ଼ା/ଗୁଡାରି: ନାବାଳିକା ନିଖୋଜକୁ ବିତିଲାଣି ୫ ଦିନ। ଡଗ୍ ସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମର ଛାନଭିନ୍ ପରେ ବି ପୁଲିସକୁ ମିଳୁନି କୌଣସି ସୁରାକ। ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଗୁଡାରି ବନ୍ଦ ପାଳନ ହୋଇଛି। ବନ୍ଦରେ ବଣିକ ସଂଘ, କଳିଙ୍ଗ ବୈଶ୍ୟ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ। ବନ୍ଦ ଯୋଗୁ ଗୁଡାରି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଗାଡ଼ି ଚଳାଚଳ କରିନଥିଲା। ଉତ୍ତ୍ୟକ୍ତ ଲୋକେ ଥାନାକୁ ଯାଇ ପୁଲିସକୁ ଘେରାଉ କରି ତୁରନ୍ତ ନାବାଳିକାକୁ ଠାବ କରିବାକୁ ଦାବି କରିଛନ୍ତି। ଗୁଡାରି ବାକିଟି ସାହି ବ୍ୟବସାୟୀ ଜି. ଭେଙ୍କେଟ ରାଓଙ୍କ ୭ ବର୍ଷର ଝିଅ ସାଇ ସ୍ବରୂପା ଗତ ୧୧ ତାରିଖ (ରବିବାର) ସଂଧ୍ୟାରୁ ନିଖୋଜ ଅଛନ୍ତି। ନିଖୋଜକୁ ନେଇ ଗୁଡାରି ଥାନାରେ ଭେଙ୍କେଟ ରାଓ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୁଡାରି ଥାନା ଅଧିକାରୀ ଦୀନବନ୍ଧୁ ଶବରଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ତଦନ୍ତରେ ସହଯୋଗ କରୁଛନ୍ତି ସିଆରପିଏଫ ଯବାନ। ଘଟଣା ଦିନ ସାଇ ସ୍ବରୂପା ପିକନିକ ଭୋଜି ଖାଇ ଫେରିବା ପରେ ସଂଧ୍ୟାରେ ଘର ସମ୍ମୁଖରେ ଖେଳୁଥିଲେ। ଭାଇ, ଭଉଣୀ ଦୁହେଁ ଖେଳୁଥିବା ବେଳେ ସଂଧ୍ୟା ୭ଟାରେ ବିଦ୍ୟୁତ୍ କାଟ ହୋଇଥିଲା। ୧୫ ମିନିଟ୍ ବ୍ୟବଧାନରେ ବିଦ୍ୟୁତ ଆସିବା ପରେ ଘର ବାହାରେ ସାଇ ସ୍ବରୂପା ନ ଥିବା ଦେଖିବାକୁ ମିଳିଥିଲା। ସାଇ ସ୍ବରୂପା କୁଆଡେ ଚାଲି ଯାଇଥିବା ନେଇ ଭାଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ସାଇ ସ୍ବରୂପାଙ୍କ ବାପା ‌ଭେଙ୍କେଟ ରାଓ ବଜା‌ରରେ ଦୋକାନ କରି ଥିବାରୁ ବାପାଙ୍କ ଦୋକାନକୁ ଯାଇଥିବ ଭାବି ପରିବାର ଲୋକ ଖୋଜାଖୋଜି କରିଥିଲେ। ରାତି ୯ଟାରେ ଭେଙ୍କେଟ ଦୋକାନ ବନ୍ଦ କରି ଫେରିବା ପରେ ସାଇ ସ୍ବରୂପା ସଂଧ୍ୟାରୁ ନିଖୋଜି ଥିବା ଜାଣି ସଂପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ।

Advertisment

ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ପରେ ବି ସାଇ ସ୍ବରୂପାର କୌଣସି ପତ୍ତା ମିଳିନଥିଲା। ସୋମବାର ସକାଳେ ଥାନାରେ ଅଭିଯୋଗ ପରେ ପୁଲିସ ସାଇ ସ୍ବରୂପାର ଫଟୋ ଦୋକାନ ବଜାର, ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲଗାଇ ପତ୍ତା ମିଳିଲେ ସୂଚନା ଦେବା ପାଇଁ ନିବେଦନ କରିଥିଲା। ସ୍ବରୂପାକୁ କିଏ କାହିଁକି ଅପହରଣ କଲା ନା ଏହି ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ସେ ଦିଗରେ ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି। ସାଇ ସ୍ବରୂପାର ନିଖୋଜକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହେବା ପରେ ଡିଏସପି ସୁଶାନ୍ତ କୁମାର ତାଉଡିଆଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି ପୁଲିସ। ଆଜି ପୁଣି ଡଗ୍ ସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ୍ ପୂରା ସହରକୁ ଛାନଭିନ୍ କରି ତଦନ୍ତ କରିଛନ୍ତି। ସିଆରପିଏଫ୍ ଯବାନ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରିଛନ୍ତି। ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଥିଲେ ମଧ୍ୟ ସାଇ ସ୍ବରୂପାର ପତ୍ତା ମିଳୁନଥିବାରୁ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସହରବାସୀ ମଧ୍ୟ ଆଶା, ଆଶଙ୍କାରେ ଦିନ କାଟୁଥିବାରୁ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗୁଡାରି ବନ୍ଦ ପାଳନ ହୋଇଥିଲା। ବନ୍ଦକୁ ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବେ ସମର୍ଥନ କରିବା ସହ ପୁଲିସ ତୁରନ୍ତ ସାଇ ସ୍ବରୂପା ନିଖୋଜ ପଛରେ ଥିବା ରହସ୍ୟର ପର୍ଦାଫାଶ କରିବାକୁ ଦାବି ହୋଇଛି।