ଝାରସୁଗୁଡ଼ା: ଚାଇଲଡ୍‌ଲାଇନ୍‌ ହସ୍ତକ୍ଷେପ ପରେ ଭଣ୍ଡୁର ହେଲା ବାଲ୍ୟବିବାହ

ଝାରସୁଗୁଡ଼ା: ବେଲପାହାଡ ଅଂଚଳରେ ଚାଇଲଡ୍‌ଲାଇନ୍‌ର ହସ୍ତକ୍ଷେପ ପରେ ଏକ ବାଲ୍ୟବିବାହ ଭଣ୍ଡୁର ହୋଇଛି। କୌଣସି ଏକ ଅଜଣା ବ୍ୟକ୍ତିଙ୍କ ଠାରୁ ଟେଲିଫୋନ୍‌ ମାଧ୍ୟମରେ ସୂଚନା ପାଇବା ପରେ ଚାଇଲଡ୍‌ଲାଇନ୍‌ ସଂଯୋଜକ ଆଶିଷ କୁମାର ପଣ୍ଡା ଏବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ବେଲପାହାଡସ୍ଥିତକୁ ଖବର ଦେଇଥିଲେ। ଆଜି ସକାଳ ୯ଟାରେ ମିଳିତ ଦଳ ଗଠନ କରି ବେଲପାହଡସ୍ଥିତ ଜୁନାଡିହ ରାଧାକୃଷ୍ଟ ମନ୍ଦିରକୁ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରେ କୌଣସି ବାହାଘର ହେଉ ନଥିବା ଦେଖିବାକୁ ମିଳିଥିଲା।

ପୁଲିସ ବରଘରକୁ ଯାଇ ଦେଖିବାରୁ ସେଠାରେ ତାଲା ପଡ଼ିଥିଲା। କୌଣସି ସୂତ୍ରରୁ ବରର ବାପାଙ୍କ ନମ୍ବର ପାଇ, ବାହାଘର କେଉଁ ସ୍ଥାନରେ ହେବ, ତାହା ଜାଣିପାରିଥିଲା। ତୁରନ୍ତ ବିଟିଏମ, ପାଣ୍ଠି ଅଧିକାରୀ ସୁଚିସ୍ମିତା ମହାନ୍ତି ଏବଂ ତାଙ୍କର ପୁଲିସ ଟିମ୍‌ ଝାରସୁଗୁଡ଼ାସ୍ଥିତ ନବୋଦୟ ବିଦ୍ୟାଳୟ ନିକଟ ଏଚ୍‌. କଣ୍ଠାପାଲିସ୍ଥିତ ବଜରଂଗପଡ଼ାର ମକରଧ୍ୱଜ ସାହୁଙ୍କ ଘରୁ ନାବାଳିକାକୁ ଉଦ୍ଧାର କରିଥିଲା।

ରିପୋର୍ଟ ଲେଖାଯିବା ବେଳକୁ ପରିବାରବର୍ଗ କୁଆଡେ ଫେରାର ହୋଇଯାଇଛନ୍ତି। ପୁଲିସ ବରପିଲାର ବଡ଼ଭାଇ ଦିପକ ବାଗ୍‌କୁ ଆଣି ପଚରାଉଚରା କରୁଛି। ଚଢ଼ାଉ ବେଳେ ଚାଇଲଡ୍‌ଲାଇନ୍‌ର ସଂଯୋଜକ ଆଶିଷ କୁମାର ପଣ୍ଡା, ଡିସିପିଓ ସୁନନ୍ଦ ମହାରଣା, ସିଡବ୍ଲୁସିର ସଭ୍ୟା ଅହଲ୍ୟା ନାଏକ, ସିଡିପିଓ ଲଖନପୁରର ଆରଡି ନେଗି, ସ୍ୱେଚ୍ଛାସେବୀ ଝରଣା ଦୀପ ପ୍ରମୁଖ ସାମିଲ ଥିଲେ।

ସୂଚନା ଅନୁଯାୟୀ ନାବାଳିକାଟି ବଲାଙ୍ଗୀର ଜିଲ୍ଳା ଅନ୍ତର୍ଗତ ଦେଓଗାଁ ଅଂଚଳର ବୋଲି ଜଣାପଡ଼ିଡ଼ି। ନାବାଳିକାର ବୟସ ୧୪ ବର୍ଷ ହୋଇଥିବା ବେଳେ, ତା’ର ଶିକ୍ଷାଗତ ଯୋଗ୍ୟତା ହେଉଛି ନବମ। ପାଠ ପଢ଼ିବା ପାଇଁ ବହୁ ଆଗ୍ରହ ଥିବା ବେଳେ ପରିବାର ଲୋକେ ତାଙ୍କୁ ବାଧ୍ୟ କରି ବିବାହ କରୁଥିଲେ ବୋଲି ନାବାଳିକା କହିଛି। ରିପୋର୍ଟ ଅନୁସାରେ ଉଦ୍ଧାର ହେବା ପରେ ନାବାଳିକାକୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନା କରି ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶକ୍ରମେ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି।

 

ସମ୍ବନ୍ଧିତ ଖବର