ବାପା ଓ ମା’ଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ରାଗିକି ଘର ଛାଡ଼ି ପଳାଇଯାଇଥିବା ନାବାଳିକା ରାଞ୍ଚିରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳାର ଜଣେ ନାବାଳିକା ରାଞ୍ଚିରୁ ଉଦ୍ଧାର ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବାଲିମେଳାରେ ବାସ କରୁଥିବା ଲକ୍ଷ୍ମଣ ଶିଶାଙ୍କର ଚାରି ଝିଅ ।ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବା ପରେ ଦୁହେଁ ଅନ୍ୟତ୍ର ରହୁଥିଲେ। ତେବେ ଏହି ଦମ୍ପତ୍ତିଙ୍କ ଦ୍ବିତୀୟ କନ୍ୟା ଯିଏ କି ନବମ ଶ୍ରେଣୀରେ ପାଠ ପଢନ୍ତି,ସେ ଘରେ ଗଣ୍ଡଗୋଳ ଯୋଗୁଁ ଘରୁ ବାହାରି ପଡି ନିଜ ଆଈ ଘର ଉମରକୋଟକୁ ଚାଲିଯାଇଥିଲେ।

ପାଖରେ ଟଙ୍କା ନଥିବାରୁ ବହୁ କଷ୍ଟରେ ସେ ସେଠାରେ ପହଞ୍ଚିଥିଲେ। ତେବେ ସେଠାରୁ ପୁଣି ସେ ଘରକୁ ଫେରିବା ପାଇଁ ଚାହୁଁଥିବା ବେଳେ ତାଙ୍କୁ ଭୁଲବଶତଃ ରାୟପୁର ଗାଡିରେ କେହି ବସାଇ ଦେଇଥିଲା। ସେ ରାୟପୁର ପହଞ୍ଚିବା ପରେ କଣ କରିବେ କିଛି ବୁଝିପାରି ନଥିଲେ। ତେବେ ରାଞ୍ଚି ଅଞ୍ଚଳର କିଛି ମହିଳା ତାଙ୍କୁ ରାଞ୍ଚି ଗଲେ ଓଡିଶା ପାଇଁ ବସ ମିଳିବ ବୋଲି କହିବା ପରେ ସେ ଟ୍ରେନରେ ରାଞ୍ଚିରେ ପହଞ୍ଚିଯାଇଥିଲେ।

ତେବେ ସେଠାରେ କୌଣସି ବସ ନମିଳିବାରୁ ବାପାଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ। ରାଞ୍ଚିରେ ପୁଲିସ ନିକଟରେ ପହଞ୍ଚି ସବୁ କଥା ନାବାଳିକା କହିଥିଲେ। ପରେ ବାଲିମେଳା ପୁଲିସ ସହ ଯୋଗାଯୋଗ କରି ନାବାଳିକାକୁ ଉଦ୍ଧାର କରାଯାଇଛି। ଆଜି ନାବାଳିକାକୁ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା। ନାବାଳିକାଙ୍କ ମା’ଙ୍କୁ ଡାକି ନାବାଳିକାକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର