ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଯେତିକି ପ୍ରୟାସ କରାଯାଉଛି ସେତିକି ପରିମାଣରେ ଖଣି ମାଫିଆ ଚୋରା ଚାଲାଣର ନୂଆ ବାଟ ବାହାର କରିନେଉଛନ୍ତି । ତେବେ ୨୦୧୯ରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଉପରେ ପୁଲିସ୍-ଏସ୍ଟିଏଫ୍ ଚଢ଼ଉ କରିଥିବା ବେଳେ ରାଜ୍ୟସ୍ୱ ବିଭାଗ ଧିମେଇ ଯାଇଥିଲା । କିନ୍ତୁ ୨୦୨୦ରେ ଧରପଗଡ଼କୁ କଡ଼ାକଡ଼ି କରାଯାଇଛି । ୨୦୨୦ ଅପ୍ରିଲ୍ ପହିଲାରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଗ୍ରାମାଂଚଳର ୬ଟି ତହସିଲରୁ ଦେଢ଼ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ବୋଲଗଡ଼ରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯାଇଥିବା ବେଳେ ଖୋର୍ଦ୍ଧା ତହସିଲରେ ସର୍ବାଧିକ ଜୋରିମାନା ଆଦାୟ କରାଯାଇଛି । ଏହା ସହ ଖୋର୍ଦ୍ଧା ତହସିଲରେ ଜୋରିମାନା ଆଦାୟ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବାକୁ ପିଓଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଗତ ୯ ମାସରେ ବୋଲଗଡ଼ ତହସିଲରୁ ୬ଲକ୍ଷ ୩୫ ହଜାର ୨୯୨ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଚିଲିକାରୁ ୭ଲକ୍ଷ ୫୨ହଜାର ୫୮୦ଟଙ୍କା, ବାଣପୁରରୁ ୧୩ଲକ୍ଷ ୧୪ହଜାର ୫୦୦ଟଙ୍କା, ବେଗୁନିଆରୁ ୩୨ଲକ୍ଷ ୮୫ ହଜାର ଟଙ୍କା, ଟାଙ୍ଗୀରୁ ୩୪ଲକ୍ଷ ୮୮ହଜାର ୨୯୦ଟଙ୍କା ଏବଂ ଖୋର୍ଦ୍ଧା ତହସିଲରୁ ୪୯ଲକ୍ଷ ୨୮ ହଜାର ୫୦୦ଟଙ୍କା ଏଭଳି ମୋଟ ୧ କୋଟି ୪୪ଲକ୍ଷ ୪ ହଜାର ୧୬୨ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

Advertisment

ଏନେଇ ସୂଚନା ଦେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ କହିଛନ୍ତି ଯେ ଏହି ଚଢ଼ଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ୩୧ ତାରିଖରେ କୌଣସି ଚଢ଼ଉ କରାଯାଇନଥିଲା ତେବେ ୩୦ ତାରିଖରେ ଟାଙ୍ଗୀ ତହସିଲରୁ ୧୭ହଜାର ଟଙ୍କା ଓ ବୋଲଗଡ଼ ତହସିଲରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।